ଭୁବନେଶ୍ୱର: ଦ୍ୱିତୀୟ ଥର ପାଇଁ ଓଡ଼ିଶାର ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷା ତଥା ସାଂସଦ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ଏବଂ ନବନିଯୁକ୍ତ ସହପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ଡ. ସ୍ୱଦେଶ ସିଂହ। ଭୁବନେଶ୍ୱର ବିମାନବନ୍ଦରରେ ଉଭୟ ନେତୃବୃନ୍ଦଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିବାବେଳେ ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ କର୍ମକର୍ତ୍ତାମାନେ ଉଷ୍ମ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ପ୍ରକୋଷ୍ଠ ସଂଯୋଜକମାନେ ଉପସ୍ଥିତ ରହି ନବନିଯୁକ୍ତ ପ୍ରଭାରୀ ଓ ସହପ୍ରଭାରୀଙ୍କୁ ସ୍ୱାଗତ କରିଥିଲେ।
ବୈଠକରେ ମତପ୍ରକାଶ କରି ପ୍ରଭାରୀ ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ରାଜ୍ୟରେ ସରକାର ଏବଂ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଳୀୟ ସଂଗଠନକୁ ଆହୁରି ଅଧିକ ମଜଭୁତ କରାଯିବ। ଆଗାମୀ ଦିନରେ ଆସିବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସାଙ୍ଗଠନିକ କାର୍ଯ୍ୟକଳାପକୁ ବ୍ୟାପକ କରିବାକୁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।
ଏହି ଗସ୍ତ ଅବସରରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଭୁବନେଶ୍ୱର ମହାନଗର ନିଗମର ୩୫ ନମ୍ବର ୱାର୍ଡ ଏବଂ ଡ. ସ୍ୱଦେଶ ସିଂହ ୪୦ ନମ୍ବର ୱାର୍ଡ ଅନ୍ତର୍ଗତ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ‘ଆଙ୍ଗନ୍ କି ଉତ୍ସବ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେମାନେ ଅଙ୍ଗନବାଡ଼ି କର୍ମଚାରୀଙ୍କ ସେବା ଏବଂ ଶିଶୁ ତଥା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରୁ ଆରମ୍ଭ ହୋଇଥିବା “ସେବା ସଂକଳ୍ପ ଅଭିଯାନ” (ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁଥିବା)ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଏହି ବୈଠକରେ କରାଯାଇଛି। ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ସେହିପରି, ଆସନ୍ତା ଅକ୍ଟୋବର ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବେ ୨୫ ବର୍ଷ ପୂରଣ କରୁଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଓଡ଼ିଶାର ୩୦ଟି ଜିଲ୍ଲାରେ “ସେବା ଜ୍ୟୋତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ଅଧିକରୁ ଅଧିକ ଜନସାଧାରଣ ଅଂଶଗ୍ରହଣ କରି ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିବା ନେଇ ବୈଠକରେ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଇଛି।