ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ SIR ଟ୍ରିବ୍ୟୁନାଲ୍ରେ ଏବେବି ୩୭ ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ ରହିଛି ଏବଂ ଏହି ଲମ୍ବିତ ଆବେଦନଗୁଡ଼ିକର ନିର୍ବାଚନ ଫଳାଫଳ ଉପରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନିର୍ବାଚନ ଆୟୋଗ। ୩୧ଟି ବିଧାନସଭା ଆସନରେ ପୁନର୍ନିର୍ବାଚନ ଦାବି କରି ଟିଏମସି ସାଂସଦ ଡେରେକ୍ ଓବ୍ରାଏନ୍ଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଜବାବରେ ଆୟୋଗ ଏହି ସତ୍ୟପାଠ ଦାଖଲ କରିଛନ୍ତି।
ଓବ୍ରାଏନ୍ ଦଳିଲ୍ ଦେଇଥିଲେ ଯେ ସେହି ୩୧ଟି ଆସନରେ ବିଜୟ ବ୍ୟବଧାନ SIRରେ ହଟିଥିବା ନାମଗୁଡ଼ିକର ସଂଖ୍ୟାଠାରୁ କମ୍ ରହିଛି। ଏହାର ଜବାବ ରଖି ନିର୍ବାଚନ ଆୟୋଗ କହିଛନ୍ତି ଯେ ଟିଏମସି ସାଂସଦ କେବଳ ସେହି ଆସନଗୁଡ଼ିକର ହିସାବ ଦେଉଛନ୍ତି ଯେଉଁଠାରେ ତାଙ୍କ ଦଳ ହାରିଛି। ବାସ୍ତବରେ ଟିଏମସି ମଧ୍ୟ ଏପରି ୨୧ଟି ଆସନରେ ବିଜୟୀ ହୋଇଛି, ଯେଉଁଠାରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ସଂଖ୍ୟା ବିଜୟ ବ୍ୟବଧାନଠାରୁ ଅଧିକ ଥିଲା।
ଆୟୋଗଙ୍କ ସୂଚନା ମୁତାବକ, ଟ୍ରିବ୍ୟୁନାଲ୍ରେ ପ୍ରାୟ ୩୮ ଲକ୍ଷ ୩୧ ହଜାର ଆବେଦନ ଦାଖଲ ହୋଇଥିଲା। ଏଥିସହ ୨୨ ଲକ୍ଷ ୨୧ ହଜାର ଆବେଦନ ସେହି ଲୋକଙ୍କର ଥିଲା, ଯାହାଙ୍କ ନାମ ଭୋଟର ତାଲିକାରୁ ହଟାଯାଇଥିଲା ଏବଂ ୧୬ ଲକ୍ଷ ୧୦ ହଜାର ଆବେଦନ ନାମ ସାମିଲ କରିବାକୁ ବିରୋଧ କରୁଥିବା ଲୋକଙ୍କର ଥିଲା, ଅର୍ଥାତ୍ ଏହି ବ୍ୟକ୍ତିମାନେ ଚଳିତ ନିର୍ବାଚନରେ ମତଦାନ କରିଛନ୍ତି। ଆୟୋଗ ସ୍ପଷ୍ଟ କରିଛନ୍ତି ଯେ SIRରେ ୧.୨୨ କୋଟି ନାମ ହଟିବା ନେଇ ବହୁଚର୍ଚ୍ଚା ହେଉଥିଲେ ମଧ୍ୟ, ସେଥିରୁ ଅଧିକାଂଶ ନାମ ମୃତ, ଡୁପ୍ଲେସିଟ୍, ସ୍ଥାନାନ୍ତରିତ ବା ଅନୁପସ୍ଥିତ ବର୍ଗର ଥିଲା। ଏହି କାରଣରୁ କେବଳ ୨୨ ଲକ୍ଷ ୨୧ ହଜାର ଲୋକ ହିଁ ଅପିଲ୍ ଟ୍ରିବ୍ୟୁନାଲ୍ର ଦ୍ୱାରସ୍ଥ ହୋଇଛନ୍ତି, ଯେଉଁଥିରେ ସବୁଠାରୁ ଅଧିକ ମୁର୍ଷିଦାବାଦ ଏବଂ ମାଲଡା ଜିଲ୍ଲାରୁ ଆବେଦନ ଆସିଛି।
ଲମ୍ବିତ ଆବେଦନଗୁଡ଼ିକୁ ଶୀଘ୍ର ଖଲାସ କରିବା ପାଇଁ ଆୟୋଗ ରାଜ୍ୟର ୪୨ଟି ଲୋକସଭା ଆସନ ଅନୁସାରେ ୪୨ଟି ଅପିଲ୍ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ, ୩୧ଟି ଆସନରେ ନିର୍ବାଚନ ରଦ୍ଦ କରିବା ପାଇଁ ଦାବିକୁ ସାମ୍ବିଧାନିକ ଦୃଷ୍ଟିରୁ ଭୁଲ୍ ବୋଲି ଦର୍ଶାଇ ଆୟୋଗ କହିଛନ୍ତି ଯେ ସମ୍ବିଧାନର ଧାରା ୩୨୯(b) ଅନୁଯାୟୀ କୌଣସି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିବାକୁ ହେଲେ ହାଇକୋର୍ଟରେ ପିଟିସନ୍ ଦାଖଲ କରିବାକୁ ପଡ଼ିବ, ଏବଂ ସିଧାସଳଖ ସୁପ୍ରିମକୋର୍ଟରୁ ନିର୍ବାଚନ ରଦ୍ଦ କରିବାକୁ ଦାବି କରିବା ଅସାମ୍ବିଧାନିକ ଅଟେ।