ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗ (ECI) ର ବିଭିନ୍ନ ପଦକ୍ଷେପ ଏବଂ SIR ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ମତାମତକୁ କଡ଼ା ସମାଲୋଚନା କରିଛି ବିଜେପି। ଦେଶବାସୀଙ୍କୁ ଜାଣିଶୁଣି ଭ୍ରମିତ କରିବା ପାଇଁ ରାହୁଲ ଗାନ୍ଧୀ ଏଭଳି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ଅମର ପଟ୍ଟନାୟକ ଅଭିଯୋଗ କରିଛନ୍ତି।
ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଇସିଆଇ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପ୍ରେସ୍ ରିଲିଜ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ହିଁ ନିର୍ବାଚନ ଆୟୋଗ ପକ୍ଷରୁ ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମାତ୍ର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସମଗ୍ର ବ୍ୟବସ୍ଥାକୁ ଠିକ୍ ଭାବେ ବୁଝିବାରେ ସମ୍ପୂର୍ଣ୍ଣ ଅକ୍ଷମ ବୋଲି ସେ କହିଛନ୍ତି।
ବିଜେପି ନେତା କହିଛନ୍ତି ଯେ ବର୍ତ୍ତମାନ ଏହି ସମଗ୍ର ପ୍ରସଙ୍ଗ ମାନ୍ୟବର ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ଏବଂ ସର୍ବୋଚ୍ଚ ଅଦାଲତ ପ୍ରତ୍ୟେକ ଦିଗ ଉପରେ କଡ଼ା ନଜର ରଖିଛନ୍ତି। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଆବଶ୍ୟକ ସ୍ଥଳେ ନିର୍ବାଚନ ଆୟୋଗ ପଦକ୍ଷେପ ମଧ୍ୟ ପରିବର୍ତ୍ତନ କରିଛନ୍ତି। ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ପାଇଁ ସୁପ୍ରିମକୋର୍ଟ, ଇସିଆଇ ଏବଂ ସରକାର ମିଳିତ ଭାବେ ନିରନ୍ତର ପ୍ରୟାସ ଜାରି ରଖିଥିବାବେଳେ କେବଳ ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।