ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଝୀ ଲୋକସଭା ବାଚସ୍ପତିଙ୍କ ନିକଟରେ ଏକ ଦାବି କରିଛନ୍ତି । ଜିତନ ରାମ ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସାଂସଦମାନଙ୍କ ପାଇଁ ପର୍ଯ୍ୟାପ୍ତ କହିବା ସମୟ ଦାବିକୁ ସମର୍ଥନ କରି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖିଛନ୍ତି। ଏ ସମ୍ପର୍କରେ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଦାବି ସମ୍ପର୍କରେ ତର୍ଜମା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଛନ୍ତି ।
ମଧ୍ୟ ପ୍ରଦେଶର ଖାରଗୋନର ବିଜେପି ସାଂସଦ ଗଜେନ୍ଦ୍ର ସିଂହ ପଟେଲ ଅଗଷ୍ଟ ୫ ତାରିଖରେ ଦିଲ୍ଲୀରେ ଜିତନରାମଙ୍କ ବାସଭବନରେ ଅନୁଷ୍ଠିତ "ଏନଡିଏ ସାଂସଦଙ୍କ ଗୋଷ୍ଠୀ ଆଲୋଚନା ବୈଠକରେ" ଏହି ପ୍ରସଙ୍ଗ ଉଠାଇଥିଲେ। ପଟେଲ ଦାବି କରିଥିଲେ ଯେ ଏସସି/ଏସଟି ସାଂସଦମାନଙ୍କୁ ଗୃହରେ ସେମାନଙ୍କ ସମ୍ପ୍ରଦାୟ ସମ୍ପର୍କିତ ପ୍ରସଙ୍ଗ ଉଠାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବା ଉଚିତ। ପଟେଲ ପିଟିଆଇକୁ କହିଛନ୍ତି ଯେ ସାଂସଦମାନେ କହିବାକୁ ସମୟ ପାଆନ୍ତି କିନ୍ତୁ ସେମାନଙ୍କୁ ଅଧିକ ସମୟ ଦିଆଯିବା ଉଚିତ ଯାହା ଦ୍ୱାରା ସଂସଦରେ ଏସସି/ଏସଟି ସମ୍ପ୍ରଦାୟ ସହିତ ଜଡିତ ଅଧିକ ପ୍ରସଙ୍ଗ ଉଠାଇହେବ।
ମାଞ୍ଝିଙ୍କ ଦଳ HAM(S)ର ସଭାପତି ତଥା ବିହାରର ମନ୍ତ୍ରୀ ସନ୍ତୋଷ କୁମାର ସୁମନ ସଂରକ୍ଷଣ ମଧ୍ୟରେ ଉପ-ବର୍ଗୀକରଣ ଦାବିକୁ ପୁନର୍ବାର ଦୋହରାଇଥିଲେ। ସେ ଯୁକ୍ତି ଦେଇଥିଲେ ଯେ ସବୁଠାରୁ ପଛୁଆ ସମ୍ପ୍ରଦାୟକୁ ସଂରକ୍ଷଣ ଲାଭର ଅଧିକ ଅଂଶ ମିଳିବା ଉଚିତ।