ସମ୍ବଲପୁର: “ସେବା ଓ ସୁରକ୍ଷା” ହେଉଛି ଓଡ଼ିଶା ପୋଲିସର ମୂଳମନ୍ତ୍ର ଏବଂ ସମାଜର ଦୁର୍ବଳ ଶ୍ରେଣୀ, ମହିଳା ଓ ଶିଶୁମାନଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ। ପେଶାଦାରିତା, ସମ୍ବେଦନଶୀଳତା ଓ ଉତ୍ତମ ବ୍ୟବହାର ଦ୍ୱାରା ପୋଲିସର ପ୍ରତିଛବିକୁ ଉଜ୍ଜ୍ୱଳ କରିବାକୁ ଡିଜିପି ବିନୟତୋଷ ମିଶ୍ର ଆହ୍ୱାନ ଦେଇଛନ୍ତି । ଶନିବାର ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲା ବୁର୍ଲାଠାରେ ପ୍ରାଥମିକ ପ୍ରଶିକ୍ଷଣ ଅନୁଷ୍ଠାନ ବି.ଟି.ଆଇ., ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇ କହିଛନ୍ତି ଡିଜିପି ।
ଡିଜିପି ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଡିଜିପି ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏକାଡେମୀ ପକ୍ଷରୁ ଉତ୍କୃଷ୍ଟ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ବିଭିନ୍ନ ଚ୍ୟାଲେଞ୍ଜର ସାହସର ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ପୋଲିସ ଜନସାଧାରଣଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ରଖିବା ଉଚିତ ବୋଲି ସେ ଉଲ୍ଲେଖ କରିଥିଲେ।
ପଞ୍ଚମ ବ୍ୟାଚ ପ୍ରଶିକ୍ଷଣ ମୋଟ ୧୦୨୭ ଜଣ ପ୍ରଶିକ୍ଷାର୍ଥୀ ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ କରି ଦୀକ୍ଷାନ୍ତ ସମାରୋହରେ ଭାଗ ନେଇଥିଲେ। ପ୍ରଶିକ୍ଷଣ ସମୟରେ ପ୍ରଶିକ୍ଷାର୍ଥୀମାନେ ପୁରୀ ରଥଯାତ୍ରା, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ରାମନବମୀ, ସୁନ୍ଦରଗଡ଼, ସୋନପୁର ଓ ଝାରସୁଗୁଡ଼ାରେ ହନୁମାନ ଜୟନ୍ତୀ, ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ତଥା ସମ୍ବଲପୁର ଜିଲ୍ଲାରେ ଶୀତଳଷଷ୍ଠୀ ପର୍ବ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପଲକ୍ଷେ ଆଇନଶୃଙ୍ଖଳା ଡ୍ୟୁଟି ସଫଳତାର ସହ ସମ୍ପାଦନ କରିଥିଲେ।
ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଇନ୍ଡୋର ବିଷୟରେ ୧ମ ସ୍ଥାନ ଅଧିକାର କରିଥିବା ଟିଙ୍କୁ ମହାନନ୍ଦ ଏବଂ ୨ୟ ସ୍ଥାନ ନରେନ୍ଦ୍ର ସାହୁ ସମ୍ମାନିତ ହୋଇଥିଲେ। ସେହିପରି ଆଉଟଡୋର ବିଷୟରେ ଆହୁତି ଅଗ୍ନିକର ପଲେଇ ଏବଂ ଦ୍ୱିତୀୟ ସ୍ଥାନରେ ସନ୍ତୋଷ କେସିଙ୍କୁ ଡିଜିପି ସମ୍ମାନିତ ରହିଥିଲେ । ସେହିପରି ଡିଜିପି ସର୍ବଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ସୁମିତ ଥାପା ଏବଂ ସାମଗ୍ରିକ ଭାବେ ସର୍ବଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ ଭାବେ ଆହୁତି ଅଗ୍ନିକର ପଲେଇ, ଶୁଭ୍ରଜିତ ପଣ୍ଡା ଏବଂ ହିମାଂଶୁ ବାଗଙ୍କୁ ସମ୍ମାନିତ କରିଥିଲେ ।
ଦୀକ୍ଷାନ୍ତ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି ) ରାଜେଶ କୁମାର, ଆଇଜିପି (ଏସଏପି) ଶ୍ରୀ ସତୀଶ କୁମାର ଗୋଜଭିୟେ ଏବଂ ବି.ଟି.ଆଇ., ବୁର୍ଲାର କମାଣ୍ଡାଣ୍ଟ ପ୍ରସାଦ ତମାଙ୍ଗଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ, ପ୍ରଶିକ୍ଷାର୍ଥୀଙ୍କ ପରିବାରବର୍ଗ ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।