କଟକ : କାର୍ଯ୍ୟରେ ଅବହେଳା ପାଇଁ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ (Food Safety Officer) ଅମିତା ଦାସଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ଦାୟିତ୍ବରେ ଅବହେଳା ପାଇଁ ବଦଳି ନିର୍ଦ୍ଦେଶ ରହିଛି।
ନିଆଳି ଅଞ୍ଚଳରେ ବେଆଇନ ଭାବେ ମଇଦା, ଆରାରୁଟ୍ ଓ କେମିକାଲ୍ ମିଶାଇ ନକଲି ପନିର ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାରେ ହରିଆଣାରୁ ପନିର ଅପମିଶ୍ରଣର ଲାବୋରେଟୋରୀ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ସମୟରେ ଅମିତା ଦାସ ନିଆଳି ଅଞ୍ଚଳର ଦାୟିତ୍ୱରେ ଥିଲେ।
ସୂଚନା ଥାଉକି କିଛି ଦିନ ପୂର୍ବରୁ ଜବତ ୭୩ କ୍ୱିଣ୍ଟାଲ ପନିରର ନମୁନା ଟେଷ୍ଟ ପାଇଁ ହରିୟାଣା ପଠାଯାଇଥିଲା। ଏହି ରିପୋର୍ଟ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ହସ୍ତଗତ ହୋଇଛି। ପ୍ରାଥମିକ ତଦନ୍ତରୁ ବିପୁଳ ମଇଦା, ଡିଟରଜେଣ୍ଟ ମିଶିଥିବା ପ୍ରମାଣ ହୋଇଛି। ପନିରକୁ ସଫ୍ଟ କରିବା ପାଇଁ ଡିଟରଜେଣ୍ଟ ମିଶୁଥିଲା।
ସୂଚନା ଅନୁଯାୟୀ କଟକ ମହାନଗର ନିଗମ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ାଉରେ ନିଆଳି ଓ ଅଢ଼ଶପୁର ଅଞ୍ଚଳରୁ ଆସୁଥିବା ପ୍ରାୟ ୭୩ କ୍ୱିଣ୍ଟାଲ ଅପମିଶ୍ରିତ ପନିର ଓ ଛେନା ଜବତ କରି ନଷ୍ଟ କରାଯାଇଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା।ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ ଅନୁସାରେ, ପନିରର ଓଜନ ବଢ଼ାଇବା ଏବଂ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ଏଥିରେ ମଇଦା, ଷ୍ଟାର୍ଚ ଏବଂ "ପାରସ" ନାମକ ଏକ କେମିକାଲ୍ ମିଶାଯାଉଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଏହାକୁ ଟେଷ୍ଟ ପାଇଁ ପଠାଯାଇଥିଲା।