ବାରିପଦା : ଦୀର୍ଘ ୭ଘଣ୍ଟା ଅପରେସନ ପରେ ଧରାପଡ଼ିଲାଘରେ ପଶିଥିବା ମହାବଳ ବାଘ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ । ଗତକାଲି ରାତିରେ ଏହି ବାଘ ଛୁଆଟି ପ୍ରଥମେ ଗାଁର ଏକ ଗୁହାଳ ଘରେ ପ୍ରବେଶ କରିଥିଲା । ପରେ ଏକ ଅବ୍ୟବହୃତ ଘର ଭିତରେ ପଶିଥିଲା। ତେବେ ବାଘଟି ଘରେ ପଶିବା ମାତ୍ରେ ସ୍ଥାନୀୟ ଲୋକେ ସାହସର ସହ ତୁରନ୍ତ ବାହାରୁ କବାଟ ବନ୍ଦ କରି ତାଲା ପକାଇ ଦେଇଥିଲେ। ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘରକୁ ଚାରିପଟୁ ଘେରି ରଖିଥିଲେ । ଘର ଭିତରେ ବାଘ ଥିବା ଖବର ପ୍ରଚାର ହେବା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ବାଘକୁ ସୁରକ୍ଷିତ ଭାବେ କାବୁ କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ । ଶେଷରେ ବନବିଭାଗର ଉଦ୍ୟମ ସଫଳ ହୋଇଛି। ଟ୍ରାଙ୍କୁଲାଇଜ୍ କରି ଘର ଭିତରୁ ବାଘକୁ ଧରିବା ପରେ ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ମହାବଳ ବାଘକୁ ଉଦ୍ଧାର କରାଯିବା ଭିତରେ ଗ୍ରାମବାସୀ କାହାରି କ୍ଷୟକ୍ଷତି ହୋଇନାହିଁ।