ଭୁବନେଶ୍ବର : ଗତ କିଛି ମାସ ହେବ ବନ୍ଦ ଥିବା ସାମାଜିକ ସୁରକ୍ଷା ଭତ୍ତା (ପେନସନ ବକେୟା) ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ହିତାଧିକାରୀଙ୍କୁ ମିଳିବ। ଓଡ଼ିଶା ବିଧାନସଭାରେ ଲିଖିତ ଭାବେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହୁଛନ୍ତି ଯେ ରାଜ୍ୟରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯୫୯ ହିତାଧିକାରୀ ରହିଛନ୍ତି। ଏହି ହିତାଧୁକାରୀଙ୍କ ମଧ୍ୟରୁ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ କିଛି ହିତାଧୁକାରୀଙ୍କ ଭତ୍ତା ଗତ ୫ ମାସଧରି ଯାଇନଥିବା କଥା ସରକାରଙ୍କ ଅବଗତିରେ ଅଛି । ଏଥିପାଇଁ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରୀର ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭତ୍ତା ପାଇନଥିବା ହିତାଧିକାରୀମାନଙ୍କୁ ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବକେୟା ସହ ଭତ୍ତା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଉଛି ।