ଭୁବନେଶ୍ୱର: ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟାକୁ ନେଇ ବଢ଼ିଛି ଚିନ୍ତା। ଅବପାତଟି ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଗତି କରିବାର ସମ୍ଭାବନା ଥିବାରୁ ପଶ୍ଚିମ ଓଡ଼ିଶାର ଏକାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ଲୋକଙ୍କୁ ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍ତି।
ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ, ଦକ୍ଷିଣ ଓଡ଼ିଶା ଓ ଛତିଶଗଡ଼ ଲାଗିଥିବା ଅଞ୍ଚଳରେ ଥିବା ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗକୁ ଛତିଶଗଡ଼ ଆଡ଼କୁ ଯିବାର ସମ୍ଭାବନା ରହିଛି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ବରଗଡ଼ ଅଞ୍ଚଳ ଦେଇ ଅବପାତ ଗତି କରୁଥିବାରୁ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ଉପରେ ପ୍ରଶାସନ ନଜର ରଖିଛି।
ସେପଟେ ରାଜ୍ୟର କିଛି ନଦୀରେ ଏବେ ବି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀ ଏବଂ ମାଥାଣୀଠାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ମନ୍ତ୍ରୀ କହିଛନ୍ତି।
ତେବେ ବର୍ଷାର ପରିମାଣ ଧୀରେଧୀରେ କମିବା ସହ ଆଜି ରାତିରୁ ନଦୀ ଜଳସ୍ତର ମଧ୍ୟ ହ୍ରାସ ପାଇବା ଆଶା କରାଯାଉଛି। ଶନିବାର ଅପରାହ୍ନ ସୁଦ୍ଧା ପାଗ ଧୀରେଧୀରେ ସ୍ୱାଭାବିକ ହେବାର ସମ୍ଭାବନା ଥିବା କୁହାଯାଇଛି। ତଥାପି ଅବପାତର ଗତି ଓ ବର୍ଷା ପରିସ୍ଥିତି ଉପରେ ପ୍ରଶାସନ ଲଗାତାର ନଜର ରଖିଛି। ବିଶେଷକରି ବର୍ଷାପ୍ରବଣ ଓ ନଦୀକୂଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ କୁହାଯାଇଛି।