ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟି ଏବଂ ଏହାର ପ୍ରତିବାଦରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଦ୍ରୋହ କରିବାକୁ ସଂଗଠନ ଏହି ନିଷ୍ପତ୍ତି ନେଇଛି ।
ଏହି ବନ୍ଦ ଡାକରା ବେଳେ ସଂଗଠନର ମୁଖ୍ୟ ଦାବି ହେଉଛି ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିପୂର୍ଣ୍ଣ ତଥ୍ୟକୁ ସଂଶୋଧନ କରିବା ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା।
ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ସୂଚନା ଅନୁଯାୟୀ ଏହି ବନ୍ଦ ଡାକରା ଦିଆଯାଇଛି। ସେପ୍ଟେମ୍ବର ୩୦ରେ ରାଜ୍ୟରେ ଯାତାୟାତ ଏବଂ ଦୋକାନ ବଜାର ଆଂଶିକ ବାଧାପ୍ରାପ୍ତ ହୋଇପାରେ। ତେବେ ଜରୁରୀକାଳୀନ ସେବା ଯେପରିକି ଆମ୍ବୁଲାନ୍ସ ଏବଂ ମେଡିକାଲ ଏହି ବନ୍ଦରୁ ମୁକ୍ତ ରହିବ ।
ସୂଚନା ଥାଉକି ଚଳିତ ଶିକ୍ଷାବର୍ଷର ପାଠ୍ୟପୁସ୍ତକରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନେକ ତ୍ରୁଟି ଥିଲା। ଯେପରିକି ସାମାଜିକ ବିଜ୍ଞାନ ବହିରେ ଓଡିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଫୋଟୋ ବ୍ୟବହାର ହୋଇଥିଲା । ସେହିପରି ହାମ୍ପି ମନ୍ଦିରରେ କୋଣାର୍କ ମନ୍ଦିରର ଚିତ୍ର ବ୍ୟବହାର କରାଯାଇଥିଲା।