ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଦକ୍ଷିଣ ଓଡ଼ିଶାରେ ନଦୀଗୁଡ଼ିକର ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଉଛି। ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ ଋଷିକୂଲ୍ୟା ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ମଧ୍ୟ କ୍ରମଶଃ ବଢ଼ିବାରେଲାଗିଛି।
ପୋଲସରା ଏବଂ ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ନିକଟବର୍ତ୍ତୀ ହେଉଛି। ଏଠାରେ ବିପଦ ସଙ୍କେତ ୧୬.୮୩୫ ମିଟର ଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୬.୫୧୦ ମିଟରରେ ପହଞ୍ଚିଛି ଯାହାକି ଚିନ୍ତାଜନକ ଅଟେ।
ଅନ୍ୟପଟେ କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ସୁନାପଲ୍ଲୀ-ଗଙ୍ଗାପୁର ମୁଖ୍ୟ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଏହା ସହିତ ବଡ଼ନଦୀ, ବାଘୁଆ ଏବଂ ଘୋଡ଼ାହାଡ଼ ନଦୀର ଜଳସ୍ତର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।
ବର୍ଷାର ପ୍ରକୋପ ଏତେମାତ୍ରାରେ ରହିଛି ଯେ ବ୍ରାହ୍ମଣ ଛାଇ ନିକଟରେ ବାଘୁଆ ନଈର ହିଡ଼ରେ ଏକ ବଡ଼ଧରଣର ଘାଇ ସୃଷ୍ଟି ହୋଇଛି। ଫଳରେ ପାଖାପାଖି ଅଞ୍ଚଳରେ ପାଣି ପଶିବାର ଆଶଙ୍କା ଦେଖାଦେଇଛି।