ଭୁବନେଶ୍ୱର: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ଦକ୍ଷିଣ ଓଡ଼ିଶାରେ ବର୍ଷା ଯୋଗୁ ବ୍ୟାପକ ପ୍ରଭାବ ପଡ଼ିଥିବାବେଳେ ପଶ୍ଚିମ, ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷାର ଏହି ପ୍ରକୋପ ଆହୁରି କିଛି ଦିନ ଜାରି ରହିବ ଏବଂ ରବିବାରଠାରୁ ପାଗରେ ସୁଧାର ଆସିବାର ସମ୍ଭାବନା ରହିଛି।
ବୁଧବାର ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଛୁଇଁଥିବା ଗଭୀର ଅବପାତଟି କ୍ରମଶଃ ଦୁର୍ବଳ ହୋଇ ଛତିଶଗଡ଼ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ।
ଏହା ବ୍ୟତୀତ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଏବଂ ୩୦-୪୦ କିମି ବେଗରେ ପବନର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଦିନକୁ ଦିନ ପାଗରେ ପରିବର୍ତ୍ତନ ଆସିବ। ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ ଏବଂ ପଶ୍ଚିମ ଓଡ଼ିଶାରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିବ। ଶନିବାର ଦିନ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିଲେ ମଧ୍ୟ ବରଗଡ଼ ଓ ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ରବିବାରଠାରୁ ବର୍ଷା ପ୍ରାୟତଃ କମିଯିବ ଏବଂ କେବଳ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।