ଭୁବନେଶ୍ୱର: ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ଗତ କିଛି ଦିନର ଧାରା ଜାରି ରଖି ଆଜି ମଧ୍ୟ ବିଧାନସଭା ଗୃହ ଅତ୍ୟନ୍ତ ସରଗରମ ରହିବାର ସମ୍ଭାବନା ରହିଛି।
ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ମୁଖ୍ୟତଃ MMDIA ପ୍ରସଙ୍ଗକୁ ଆୟୁଧ କରି ଆଜି ଗୃହରେ ପ୍ରବଳ ହଙ୍ଗାମା କରିପାରନ୍ତି ବିରୋଧୀ। ଫଳରେ ଗତ କିଛି ଦିନ ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିବାର ଆଶଙ୍କା କରାଯାଉଛି। ତଥାପି ବିବାଦ ଓ ହଙ୍ଗାମା ଭିତରେ ମଧ୍ୟ ଆଜିର ପ୍ରଶ୍ନକାଳ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି।
ଆଜିର ପ୍ରଶ୍ନକାଳରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବକଲ୍ୟାଣ ତଥା ଶିଳ୍ପ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକର ଉତ୍ତର ମଧ୍ୟ ରଖାଯିବାର କାର୍ଯ୍ୟସୂଚୀ ରହିଛି।