ଭୁବନେଶ୍ୱର: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସେଠାକାର ଗାଲୁଡିହି ବ୍ୟାରେଜରୁ ବଡ଼ ଖବର ସାମ୍ନାକୁ ଆସିଛି। ବର୍ଷାର ପରିମାଣ ବୃଦ୍ଧି ପାଇବାରୁ କର୍ତ୍ତୃପକ୍ଷ ବ୍ୟାରେଜର ଏକକାଳୀନ ୭ଟି ଗେଟ୍ ଖୋଲି ଦେଇଛନ୍ତି।
ଏହି ପଦକ୍ଷେପ ପରେ ଓଡ଼ିଶାର ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଅତଧିକ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି। ବିଶେଷ କରି ଜଳେଶ୍ୱର, ଭୋଗରାଇ ଏବଂ ବାଲିଆପାଳ ବ୍ଲକର ବିଭିନ୍ନ ଅଞ୍ଚଳ ବନ୍ୟା ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି। ପ୍ରଶାସନ ପକ୍ଷରୁ ନଦୀକୂଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଛି।
ଅନ୍ୟପଟେ ବାରିପଦା ସ୍ଥିତ ଶିମିଳିପାଳ ପାଦଦେଶରେ ପ୍ରବାହିତ ପଳପଳା ନଈରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାହାଡ଼ ଉପରୁ ହଠାତ୍ ପ୍ରବଳ ପାଣି ମାଡ଼ିଆସିବାରୁ ନାଲି କାଦୁଅ ମିଶା ପାଣିରେ ଚାରିଆଡ଼ ଖେଳିଯାଇଛି।
ଏହି ବନ୍ୟାଜଳ ପ୍ରଭାବରେ ବାଲିଡିହା ପୋଲ ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିବାବେଳେ ଭୁଆଶୁଣୀ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ସେହିପରି ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ବନ୍ୟା ଜଳ କ୍ରମଶଃ ବୃଦ୍ଧି ପାଉଥିବା ସୂଚନା ମିଳିଛି।