ଭୁବନେଶ୍ୱର: ଆଗାମୀ ଦିନରେ ଓଡ଼ିଶାର ବିକାଶକୁ ନୂଆ ଦିଗ ଦେବା ପାଇଁ ପ୍ରସ୍ତୁତ ହୋଇଛି ବଡ଼ ରୋଡମ୍ୟାପ୍। ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ଲକ୍ଷ୍ୟରେ ସରକାର ୨୦୩୬ ଓ ୨୦୪୭କୁ ନଜରରେ ରଖି ୩୬ଟି ଉଚ୍ଚ ପ୍ରଭାବଶାଳୀ ଏବଂ ବିକାଶମୁଖୀ କାର୍ଯ୍ୟକ୍ରମ ଚିହ୍ନଟ କରିଛନ୍ତି। ବିଧାନସଭାରେ ଗୁରୁବାର ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡ଼ିଶା ଗଠନର ୧୦୦ ବର୍ଷ ୨୦୩୬ରେ ପୂରଣ ହେବ। ସେହିପରି ୨୦୪୭ରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ। ଏହି ଦୁଇଟି ବଡ଼ ମାଇଲଖୁଣ୍ଟକୁ ଆଖି ଆଗରେ ରଖି ଓଡ଼ିଶା ସରକାର ଦୀର୍ଘମିଆଦୀ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି।
ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ଆୟୋଗର ସହଯୋଗରେ ରାଜ୍ୟ ସରକାର ୨୦୩୬ ଓ ୨୦୪୭ ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ଓଡ଼ିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି।
ଏହି ଭିଜନ ଡକ୍ୟୁମେଣ୍ଟରେ ଚିହ୍ନଟ ୩୬ଟି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରମୁଖ ବିକାଶ ଆହ୍ୱାନଗୁଡ଼ିକର ସମାଧାନ ସହ ଦୀର୍ଘମିଆଦୀ ଅଭିବୃଦ୍ଧି ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବିଶେଷକରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବହନ, ଜଳସେଚନ, ଶିଳ୍ପ ଓ ଭିତ୍ତିଭୂମି ବିକାଶ, ସହରୀକରଣ, ସାମାଜିକ ସୁରକ୍ଷା ଏବଂ ମହିଳା ସଶକ୍ତୀକରଣ ଭଳି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି।
କେବଳ ଭିତ୍ତିଭୂମି ନୁହେଁ, ଲୋକଙ୍କ ଆବଶ୍ୟକତାକୁ କେନ୍ଦ୍ରରେ ରଖି ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ପଦକ୍ଷେପ ଉପରେ ମଧ୍ୟ ସରକାର ଫୋକସ୍ କରୁଛନ୍ତି। ଏହା ମାଧ୍ୟମରେ ଓଡ଼ିଶାର ସମସ୍ତ ବର୍ଗର ଲୋକଙ୍କୁ ବିକାଶର ସୁଯୋଗ ଦେବା ସହ ଏକ ସମାବେଶୀ ଓ ସମଗ୍ର ବିକାଶର ଲକ୍ଷ୍ୟ ରଖାଯାଇଛି। ଅର୍ଥାତ୍, ୨୦୩୬ରେ ଶତବର୍ଷୀୟ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତର ଲକ୍ଷ୍ୟ ସହ ତାଳ ଦେଇ ରାଜ୍ୟକୁ ଆଗକୁ ନେବା ପାଇଁ ଏବେଠାରୁ ଦୀର୍ଘମିଆଦୀ ଯୋଜନାରେ ଗତି ଆଣୁଛି ସରକାର।