ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗଙ୍କ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବେ ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାରେ ମଧ୍ୟ ସିଇସିଙ୍କ ବିରୋଧରେ ସ୍ୱର ଉଠିବା ଆରମ୍ଭ ହୋଇଛି । ଉଭୟ ବିରୋଧୀ କଂଗ୍ରେସ ଓ ବିଜେଡ଼ି ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଗଣମାଧ୍ୟମରେ ସମ୍ମୁଖରେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ନବୀନ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ଆୟୁକ୍ତଙ୍କ ମଧ୍ୟରେ ଆକାଶ ପାତାଳର ମତଭେଦ ରହିଛି । ତେଣୁ ସିଇସି ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ । ଏହା ସହିତ ନବୀନ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟାର ପୁନଃସମୀକ୍ଷା ପାଇଁ ମଧ୍ୟ ଦାବି କରିଛନ୍ତି । ଏସ୍ଆଇଆର୍ ପ୍ରକ୍ରିୟାକୁ ବିଜେଡ଼ି ଆରମ୍ଭରୁ ହିଁ ବିରୋଧ କରିଆସୁଛି । ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ସେ କହିଛନ୍ତି ।
ସେପଟେ କଂଗ୍ରେସ ମଧ୍ୟ ଆନ୍ଦୋଳନର ଡାକରା ଦେଲାଣି । ଆଜି କଂଗ୍ରେସ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯୋଜନା କରିଛି । ପିସିସି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳର ବହୁ ବରିଷ୍ଠ ନେତାମାନେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ।
ଏହାକୁ ଦୃଷ୍ଟିରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । କାର୍ଯ୍ୟାଳୟ ପରିସରରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।