ଭୁବନେଶ୍ୱର: ଆସନ୍ତା ବିଧାନସଭା ଅଧିବେଶନ ପାଇଁ ଶାସକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ବିରୋଧୀଙ୍କ ସମ୍ଭାବ୍ୟ ପ୍ରଶ୍ନବାଣ ଓ ବିଭିନ୍ନ ମୁଦ୍ଦାର କଡ଼ା ଜବାବ ଦେବା ପାଇଁ ବିଜେପି ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ଆଜି ବିଧାନସଭାର ୫୪ ନମ୍ବର ରୁମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଭୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମର ସାମିଲ ରହି ଦଳୀୟ ବିଧାୟକମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି। ଏଥିସହ ଦଳର ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।
ଆଗାମୀ ମୌସୁମୀ ଅଧିବେଶନରେ ଏମଏମଡିଆର୍ ସଂଶୋଧନ, ପାଠ୍ୟପୁସ୍ତକରେ ତ୍ରୁଟି, ବନ୍ୟା ପରିଚାଳନା ଏବଂ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ବିରୋଧୀ ପ୍ରମୁଖ ଅସ୍ତ୍ର କରିବା ଆଶଙ୍କା ରହିଛି। ବିରୋଧୀଙ୍କ ଏହିସବୁ ପ୍ରଶ୍ନର ସରକାର କିଭଳି ଦୃଢ଼ ଓ ତଥ୍ୟଭିତ୍ତିକ ଜବାବ ଦେବେ, ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।
ସରକାରୀ ସ୍ତରରେ ବିରୋଧୀଙ୍କ ସମସ୍ତ ଅଭିଯୋଗକୁ ସଫଳତାର ସହ କାଉଣ୍ଟର କରିବା ଏବଂ ବିଧାନସଭା ଗୃହରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ଶାସକ ଦଳ ପକ୍ଷରୁ ଏହି ବୈଠକରେ ରଣନୀତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।
Also Read: ରାଜଧାନୀରୁ ହଟିବ ୪୦ ଫୁଟରୁ ଅଧିକ ଉଚ୍ଚ ହୋର୍ଡିଂ , ଏଜି ଛକରୁ ହାଉସିଂ ବୋର୍ଡ ଛକ ହେବ ନୋ ହୋର୍ଡିଂ ଜୋନ୍