ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବର୍ଗର ଶିକ୍ଷକମାନଙ୍କ ସମସ୍ୟା ସମାଧାନ ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଶୋକ ତ୍ରିପାଠୀ କମିଟି ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି।
କମିଟିର ସୁପାରିଶଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ଖୁବଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ୨୦୨୫ ଡିସେମ୍ବର ୬ରେ ଏହି କମିଟି ଗଠିତ ହୋଇ ୨୦୨୬ ଫେବୃଆରୀ ୩ରେ ପୁନର୍ଗଠିତ ହୋଇଥିଲା।
ଏହି ଅଧ୍ୟୟନ ସମୟରେ କମିଟି ବ୍ୟାପକ ପରାମର୍ଶ ପ୍ରକ୍ରିୟା ଆପଣାଇଥିଲା। ରାଜ୍ୟର ପ୍ରାୟ ୧୦୪ଟି ଶିକ୍ଷକ ସଂଘ କମିଟିକୁ ଭେଟିଥିବାବେଳେ ମୋଟ ୯୦ଟି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସରକାରଙ୍କୁ ୭୯ଟି ରିପୋର୍ଟ ପ୍ରଦାନ କରାଯାଇଥିଲା। ଆଜିର ବୈଠକରେ କମିଟିର ଅଧ୍ୟକ୍ଷ ଶ୍ରୀ ଅଶୋକ ତ୍ରିପାଠୀ ଏବଂ ସହ-ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ନାୟକ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ସୁପାରିଶଗୁଡ଼ିକୁ ଉପସ୍ଥାପନ କରିଥିଲେ।
ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନରଙ୍କ ସମେତ ଅର୍ଥ, ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିସହ କମିଟିର ଅନ୍ୟତମ ସଦସ୍ୟ ଶ୍ରୀ ଶାନ୍ତନୁ କୁମାର ସାହୁ, ଶ୍ରୀ ମନୋରଞ୍ଜନ ମିଶ୍ର ଏବଂ ସଂଯୋଜକ ସଦସ୍ୟ ଶ୍ରୀ ସନାତନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।