ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ରାଜ୍ୟବାସୀଙ୍କ ମନରେ ବାତ୍ୟା ଆଶଙ୍କା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ବଡ଼ ସ୍ପଷ୍ଟୀକରଣ ଦେଇଛି। ଏହା ବାତ୍ୟାର ରୂପ ନେବ ନାହିଁ, ବରଂ ଗଭୀର ଅବପାତରେ ପରିଣତ ହେବ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ସେପ୍ଟେମ୍ବରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୫୫ରୁ ୬୫ କିମି ବେଗରେ ଝଡ଼ ପବନ ବହିବ।
IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୨ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବ ଏବଂ ୨୩ ଓ ୨୪ରେ ଏହାର ତୀବ୍ରତା ସର୍ବାଧିକ ରହିବ। ୨୫ ତାରିଖରେ ବର୍ଷା ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ସ୍ଥାନାନ୍ତରିତ ହେବ। ବିଶେଷକରି ପୁରୀର ଦକ୍ଷିଣ ଭାଗ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ।
ଅନ୍ୟପଟେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରି ୧୧ ଜିଲ୍ଲାକୁ ହାଇଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲିବା ସହ ଏସଆରସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହୋଇଛି।
ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିଆଗରେ ରଖି ଇନ୍ଦ୍ରାବତୀ ଓ ତେଲିଙ୍ଗିରି ଡ୍ୟାମର ଜଳସ୍ତର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲିମେଳା ଓ କୋଲାବ ଜଳଭଣ୍ଡାର ବର୍ତ୍ତମାନ ସୁରକ୍ଷିତ ସୀମା ମଧ୍ୟରେ ଥିବା ସୂଚନା ମିଳିଛି।
ପାଣିପାଗ ବିଭାଗ ଅନୁଯାୟୀ, କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ସହରାଞ୍ଚଳରେ ଜଳଜମା ସମସ୍ୟାକୁ ନେଇ ପ୍ରଶାସନ ସତର୍କ ରହିବା ସହ ପମ୍ପ ଓ ଉଦ୍ଧାର ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି।