ବାଲେଶ୍ୱରର ବ୍ୟସ୍ତ ଓଟି ରୋଡ୍ରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ। ଡିଆଇସି ଛକ ନିକଟସ୍ଥ ଏକ ରେଷ୍ଟୁରାଣ୍ଟରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ପରେ ହଠାତ୍ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଦେଖୁ ଦେଖୁ ନିଆଁ ସାରା ରେଷ୍ଟୁରାଣ୍ଟକୁ ଘେରି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।
ସୂଚନା ଅନୁସାରେ, ରେଷ୍ଟୁରାଣ୍ଟର କିଚେନ୍ରେ ଥିବା LPG ଗ୍ୟାସ୍ ସିଲିଣ୍ଡରରୁ ବିସ୍ଫୋରଣ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି। ବିସ୍ଫୋରଣର ଶବ୍ଦ ଶୁଣିବା ପରେ ଆଖପାଖର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅଳ୍ପ ସମୟ ମଧ୍ୟରେ ନିଆଁର ପ୍ରକୋପ ବଢ଼ିଯାଇ ରେଷ୍ଟୁରାଣ୍ଟର ବଡ଼ ଅଂଶ ଜଳିଯାଇଥିଲା।
ନିଆଁ ରାସ୍ତା ପାର୍ଶ୍ୱରେ ଥିବା ଏକାଧିକ ଗାଡ଼ିକୁ ମଧ୍ୟ ନିଜ କବଳକୁ ନେଇଥିବା ଖବର ମିଳିଛି। ଫଳରେ କିଛି ଯାନବାହନ ଜଳି ନଷ୍ଟ ହୋଇଥିବା ପ୍ରାଥମିକ ସୂଚନା ରହିଛି। ଘଟଣା ପରେ ଓଟି ରୋଡ୍ରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବା ସହ ନିକଟସ୍ଥ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ନିଆଁ ନ ବ୍ୟାପିବା ପାଇଁ ଉଦ୍ୟମ ଜାରି ରହିଛି।
ତେବେ ଏହି ଅଗ୍ନିକାଣ୍ଡରେ ଏଯାଏଁ କୌଣସି ଜୀବନହାନିର ଖବର ମିଳିନାହିଁ। ଅଗ୍ନିକାଣ୍ଡରେ କେତେ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଛି, ତାହା ଅଗ୍ନିଶମ ବାହିନୀ ଓ ପ୍ରଶାସନର ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାର ପ୍ରକୃତ କାରଣ ଏବଂ ରେଷ୍ଟୁରାଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ମଧ୍ୟ ଯାଞ୍ଚ କରାଯାଉଛି।