ନବରଙ୍ଗପୁର: ଆଗାମୀ କିଛି ଦିନ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନାକୁ ନଜରରେ ରଖି ପ୍ରାୟ ୭ ବର୍ଷ ପରେ ଖୋଲାଯାଇଛି ଇନ୍ଦ୍ରାବତୀ ଜଳଭଣ୍ଡାରର ଗେଟ୍। ଜଳସ୍ତର ବୃଦ୍ଧି ଓ ସମ୍ଭାବ୍ୟ ଅଧିକ ପ୍ରବାହକୁ ଦୃଷ୍ଟିରେ ରଖି ରବିବାର ସକାଳେ ୭ଟି ଗେଟ୍ ମଧ୍ୟରୁ ୬ ନମ୍ବର ଗେଟ୍କୁ ୦.୫ ମିଟର ଖୋଲି ଜଳ ନିଷ୍କାସନ ଆରମ୍ଭ କରାଯାଇଛି।
ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୪୨ ମିଟର ଥିବାବେଳେ ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୪୦.୨୯ ମିଟର ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୭୭.୫୩ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ, ଗେଟ୍ ଖୋଲିବା ପୂର୍ବରୁ ୨୦୩.୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିଲା। ଗେଟ୍ ଖୋଲିବା ପରେ ମୋଟ ନିଷ୍କାସନ ପରିମାଣ ୨୭୫.୨୮ କ୍ୟୁସେକକୁ ବୃଦ୍ଧି ପାଇଛି।
ଜଳ ଛାଡ଼ିବା ପରେ ତଳିଆ ଅଞ୍ଚଳର ଲୋକଙ୍କୁ ପ୍ରଶାସନ ସତର୍କ କରିଛି। ନଦୀ କୂଳ, ଘାଟ ଓ ଜଳପ୍ରବାହ ଅଞ୍ଚଳରୁ ଦୂରେ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।
ଇନ୍ଦ୍ରାବତୀ-କୋଲାବ ବେସିନର ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରାଙ୍କ କହିବା ଅନୁଯାୟୀ, ଲଘୁଚାପ ଯୋଗୁଁ ଆଗାମୀ ଦିନରେ ବର୍ଷା ବଢ଼ିବାର ସମ୍ଭାବନା ଥିବାରୁ ପୂର୍ବ ସତର୍କତାମୂଳକ ପଦକ୍ଷେପ ଭାବେ ଗେଟ୍ ଖୋଲାଯାଇଛି। ଜଳସ୍ତର ୬୩୯.୬୦ ମିଟରକୁ ଖସିଲେ ଗେଟ୍ ବନ୍ଦ କରାଯିବ। ବର୍ଷା, ଜଳପ୍ରବେଶ ଓ ଜଳସ୍ତରର ସ୍ଥିତି ଆଧାରରେ ଆବଶ୍ୟକ ପଡ଼ିଲେ ଅଧିକ ଗେଟ୍ ଖୋଲା କିମ୍ବା ବନ୍ଦ କରିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ୨୦୧୯ ପରେ ପ୍ରଥମ ଥର ପାଇଁ ଇନ୍ଦ୍ରାବତୀ ଡ୍ୟାମର ଗେଟ୍ ଖୋଲିଥିବାରୁ ଏହି ଘଟଣା ଏବେ ସମଗ୍ର ଦକ୍ଷିଣ ଓଡ଼ିଶାର ନଜର କେନ୍ଦ୍ରବିନ୍ଦୁ ପାଲଟିଛି।