ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ପୋଲିସର ଅପରେସନ୍ ଦମନ ଆରମ୍ଭ ହେବାକୁ ଥିବାବେଳେ ପୂଜା ବେଳେ ଗଣ୍ଡଗୋଳ ହେବା ଆରମ୍ଭ ହୋଇଗଲାଣି । ରାଜଧାନୀ ଭୁବନେଶ୍ୱରରେ ଫୁଟିଛି ଗୁଳି । ଗଣେଶ ପୂଜା ଭସାଣୀବେଳେ ଗୋଷ୍ଠୀ କନ୍ଦଳରୁ ଫାଙ୍କା ଗୁଳି ଚାଳନା ହୋଇଛି । ସାମାଜିକ ଗଣମାଧ୍ୟମରେ ଜାତିଆଣ ଆକ୍ଷେପକୁ ନେଇ ଏହି ଗୁଳି କାଣ୍ଡ ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବକ ସାମାଜିକ ଗଣମାଧ୍ୟମ ଲାଇଭ୍ କରି ଜାତିଆଣ ଆକ୍ଷେପ କରିଥିଲେ । ଏହା ପରେ ଘାଟିସିଆରେ ଏକ ଗଣେଶ ପୂଜା ଭସାଣୀ ହୋଇଥିଲା । ଭସାଣ ଉତ୍ସବ ପରେ ଭୋଜି ଚାଲିଥିବାବେଳେ ହଠାତ୍ କିଛି ଯୁବକ ପହଁଚି ଗଣ୍ଡଗୋଳ କରିଥିଲେ । ଏହା ପରେ ସେଠାକୁ ଆସିଥିବା ଯୁବକମାନେ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ଗଣ୍ଡଗୋଳ ବେଳେ କିଛି ଯୁବକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିକାଣ୍ଡ ଯୋଗୁଁ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି ।
ଘଟଣା ସମ୍ପର୍କରେ ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସେଠାରୁ ଦୁଇଟି ଖୋକା ମଧ୍ୟ ଜବତ କରାଯାଇଛି । ସେ ଦୁର୍ବୃତ୍ତ କିଏ ଏବଂ କାହିଁକି ଆସିଥିଲେ ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।