ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫିର ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଲିଗ୍ର ବ୍ରାଣ୍ଡ ଆମ୍ବାସାଡର ତଥା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଓ ଦେବାଶିଷ ମହାନ୍ତି ଯୋଗ ଦେଇ ଯୁବ କ୍ରିକେଟରମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଉଭୟ ପୂର୍ବତନ ଭାରତୀୟ ଖେଳାଳିଙ୍କ ସହ ୬ଟି ଦଳର ଫ୍ରାଞ୍ଚାଇଜି ମାଲିକମାନଙ୍କୁ ସମ୍ମାନିତ କରିଥିଲେ ।
ଏହି ଅବସରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସହ ଅନୁବନ୍ଧିତ ୪୧ଟି କ୍ରିକେଟ୍ ଏକାଡେମୀକୁ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟାନ୍ୟ ଅତିଥିଙ୍କ ଉପସ୍ଥିତିରେ ଏହି କିଟ୍ ବଣ୍ଟନ କରାଯାଇଥିଲା। ଉଦ୍ଘାଟନୀ ସମାରୋହରେ ବଲିଉଡ୍ ଅଭିନେତ୍ରୀ ମୌନୀ ରୟ ମଞ୍ଚରେ ନିଜର ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ତାଙ୍କ ଉପସ୍ଥିତି ବାରବାଟୀ ଷ୍ଟାଡିୟମରେ ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଥିଲା।