କଟକ : ଚୌଦ୍ବାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କୁ ପୋଲିସ ଗିରଫ କରିଛି। ଚୌଦ୍ବାର ଜେଲ୍ରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ଏବଂ ଜେଲ୍ର ମିନିଟ୍ ବୁକ୍ ଗାୟବ ହେବା ଅଭିଯୋଗରେ ତାଙ୍କ ଅଡୁଆ ବଢ଼ିଥିଲା। ଓଡ଼ିଶା ହାଇକୋର୍ଟରେ ତାଙ୍କର ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ତଦନ୍ତରେ ସହଯୋଗ ନ କରିବା ଏବଂ ଅନ୍ୟାନ୍ୟ ଅନିୟମିତତା ଅଭିଯୋଗରେ ଚୌଦ୍ବାର ଥାନା ପୋଲିସ ତାଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ କୁଖ୍ୟାତ ବିହାରୀ କଏଦୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ୱାର ଜେଲ୍ରୁ ଖସି ପଳାଇବା ଦିନଠାରୁ ସୁଜିତ ରାଉଳଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା। ଜେଲ୍ର ସରକାରୀ ମିନିଟ୍ ବୁକ୍ ଦାଖଲ କରିବା ପାଇଁ ପୁଲିସ ତାଙ୍କୁ ଥରେ କି ଦୁଇ ଥର ନୁହେଁ, ପୂରା ୯ ଥର ନୋଟିସ୍ କରିଥିଲା । ହେଲେ ରେକର୍ଡ ଦାଖଲ ନକରି ହଠାତ୍ ଅଗଷ୍ଟ ୧୭ ତାରିଖରେ ମିନିଟ୍ ବୁକ୍ ଚୋରି ହୋଇଯାଇଥିବା ଦର୍ଶାଇ ଥାନାରେ ଏତଲା ଦେଇଥିଲେ । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଦସ୍ତାବିଜ ଗାୟବ କରାଯାଇଥିବା ପ୍ରମାଣିତ ହୋଇଥିଲା। ଏହାପରେ ସେ ଗିରଫଦାରୀ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହେଲେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲା। ଏହାପରେ ସେ ଫେରାର ଥିଲେ ।