ପୁରୀ: ଆସନ୍ତା ଅକ୍ଟୋବର ମାସରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ଆସନ୍ତା ଅକ୍ଟୋବର ମାସରୁ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିର କୁ ପ୍ରବେଶ ଶୁଳ୍କ ମାତ୍ର ୧୦ ଟଙ୍କା ରହିବ । ସେହିପରି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ଶିଶୁଙ୍କ ପାଇଁ ନିଶୁଳ୍କ ବ୍ୟବସ୍ଥା ରହିବ । ଭକ୍ତମାନେ ଆଡ଼ପ ମଣ୍ଡପରୁ ଦର୍ଶନ କରିପାରିବେ । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନ ବୁଲିବା ପାଇଁ ଅନୁମତି ଦିଆଯିବ । ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ଟିକେଟ କାଉଣ୍ଟର, ଜୋତା ଷ୍ଟାଣ୍ଡ ବ୍ୟବସ୍ଥା ରହିବ।
ଜୋତା ଷ୍ଟାଣ୍ଡ ଏବଂ ମୋବାଇଲ୍ ଷ୍ଟାଣ୍ଡ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ ରହିବ। ଗୁଣ୍ଡିଚା ମନ୍ଦିର କୁ ସମ୍ପୂର୍ଣ୍ଣ ସିସିଟିଭି ବଳୟରେ ରଖାଯିବ।
ସେପଟେ ପୁରୀ ଶ୍ରୀମନ୍ଦିର ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ତାଲିକା ଲାଗୁ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ସହିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ଆନନ୍ଦ ବଜାରରେ ଭକ୍ତମାନେ ସ୍ୱଚ୍ଛତା ସହ ଉଚିତ୍ ମୂଲ୍ୟରେ ମହାପ୍ରସାଦ ପାଇପାରିବେ ଏବଂ କୌଣସି ପ୍ରକାର ଶୋଷଣର ଶିକାର ହେବେ ନାହିଁ। ଜାଳେଣି କାଠ ଅସୁବିଧା ନ ହେବା ପାଇଁ ମେଗା ବୃକ୍ଷ ରୋପଣ ହେବ । ଶ୍ରୀମନ୍ଦିର ପରିବେଶକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସରକାର ଏବଂ ସେବାୟତଙ୍କ ଏହି ମିଳିତ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।