ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଜି ସନ୍ଧ୍ୟା ୫ଟା ୩୦ ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଏହି ସିଷ୍ଟମ୍ ଆହୁରି ଘନୀଭୂତ ହୋଇ ୨୧ରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବ । ପରେ ୨୨ରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ।ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି।
ଅବପାତ ପ୍ରଭାବରେ ସେପ୍ଟେମ୍ବର ୨୨ ରୁ ୨୫ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହେବେ। ପରବର୍ତ୍ତୀ ସମୟରେ ବର୍ଷାର ବିସ୍ତୃତି ଅନ୍ୟ ଜିଲ୍ଲାକୁ ବଢ଼ିବ।
ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ୨୩ ସେପ୍ଟେମ୍ବର ବେଳକୁ ଉପକୂଳ ଅଞ୍ଚଳରେ ୫୦-୬୦ କିମି ପ୍ରତି ଘଣ୍ଟା ବେଗରେ ପବନ ବହିପାରେ, ଯାହାର ଝଟକା ୭୦ କିମି ପର୍ଯ୍ୟନ୍ତ ହୋଇପାରେ ।ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ସିଷ୍ଟମକୁ ନଜରରେ ରଖି ଓଡ଼ିଶା ସରକାର ପ୍ରାୟ ୨୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି ଏବଂ ବାକି ୧୦ ଜିଲ୍ଲାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।