ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ମହାପ୍ରସାଦର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ତାଲିକା ଲାଗୁ କରାଯିବ ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ସହିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯାହାଦ୍ୱାରା ଆନନ୍ଦ ବଜାରରେ ଭକ୍ତମାନେ ସ୍ୱଚ୍ଛତା ସହ ଉଚିତ୍ ମୂଲ୍ୟରେ ମହାପ୍ରସାଦ ପାଇପାରିବେ ଏବଂ କୌଣସି ପ୍ରକାର ଶୋଷଣର ଶିକାର ହେବେ ନାହିଁ।
ସୂଚନା ଅନୁସାରେ ମହାପ୍ରସାଦର ପ୍ରସ୍ତୁତି ଖର୍ଚ୍ଚକୁ ଧ୍ୟାନରେ ରଖି ଏକ ସ୍ଥିର ମୂଲ୍ୟ ତାଲିକା ପ୍ରସ୍ତୁତ ହେବ । ବାହାରୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ଛୋଟ କୋଡ଼ୁଆରେ ମଧ୍ୟ ମହାପ୍ରସାଦ ଉପଲବ୍ଧ କରାଯିବ। ମହାପ୍ରସାଦ ରନ୍ଧନ ପାଇଁ ଶ୍ରୀମନ୍ଦିର ରୋଷଘରକୁ ଯେପରି ଅଭାବ ନହୁଏ, ସେଥିପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଆନନ୍ଦ ବଜାରରେ ଅଣସେବାୟତ କିମ୍ବା ବେଆଇନ ବ୍ୟବସାୟୀଙ୍କ ଦ୍ୱାରା ହେଉଥିବା କାରବାର ଉପରେ ରୋକ୍ ଲଗାଯିବ ଏବଂ ମହାପ୍ରସାଦର ଗୁଣବତ୍ତା ବଜାୟ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଜାଳେଣି କାଠ ଅସୁବିଧା ନ ହେବା ପାଇଁ ମେଗା ବୃକ୍ଷ ରୋପଣ ହେବ । ଶ୍ରୀମନ୍ଦିର ପରିବେଶକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ସରକାର ଏବଂ ସେବାୟତଙ୍କ ଏହି ମିଳିତ ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।