ଭୁବନେଶ୍ୱର: ରାଜ୍ୟରେ ପୁଣି ପାଣିପାଗର ମୁଡ୍ ବଦଳିଛି। ଓଡ଼ିଶାର ୫ ଜିଲ୍ଲା ପାଇଁ ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଜି, ଜାରି ହୋଇଥିବା ଆଲର୍ଟ ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହୋଇପାରେ।
IMDର ଆଲର୍ଟ ଅନୁଯାୟୀ, ବାଲେଶ୍ୱର, ଜଗତସିଂହପୁର, ବଲାଙ୍ଗୀର, ବରଗଡ଼ ଓ ଅନୁଗୋଳ ଜିଲ୍ଲାକୁ ନେଇ ସତର୍କତା ଜାରି କରାଯାଇଛି। ବିଶେଷକରି ଖୋଲା ସ୍ଥାନରେ ଥିବା ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ କୁହାଯାଇଛି।
ବଜ୍ରପାତ ସମୟରେ ଘର ଭିତରେ କିମ୍ବା ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ଗଛ ତଳେ, ଖୋଲା ପଡ଼ିଆରେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ଆଶ୍ରୟ ନନେବାକୁ ସତର୍କ କରାଯାଇଛି।
ତେବେ ଏହି ଆଲର୍ଟ କେବଳ ଆଗାମୀ ୩ ଘଣ୍ଟା ପାଇଁ ଜାରି ହୋଇଛି। ତେଣୁ ସମ୍ପୃକ୍ତ ଜିଲ୍ଲାର ଲୋକେ ଆକାଶର ସ୍ଥିତି ଉପରେ ନଜର ରଖିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନାକୁ ଅନୁସରଣ କରିବା ଜରୁରୀ।