ଭୁବନେଶ୍ୱର: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏକାଧିକ ବରିଷ୍ଠ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।
ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ସୂର୍ଯ୍ୟ ନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ, ମଧୁମିତା ନାୟକଙ୍କୁ ଶ୍ରମ ଓ ESI ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେ ଭୁବନେଶ୍ୱରସ୍ଥିତ ESI ନିର୍ଦ୍ଦେଶକ ଭାବେ ନିଜର ଅତିରିକ୍ତ ଦାୟିତ୍ୱ ମଧ୍ୟ ଜାରି ରଖିବେ।
ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ, ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ଏହାଛଡ଼ା ସଂଘମିତ୍ରା ଶତପଥୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଏବଂ ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ସୁମିତା ସରକାର, ବାଳମକୁନ୍ଦ ଭୂୟାଁ, ମଧୁମିତା ନାୟକ (କେନ୍ଦୁଝରସ୍ଥିତ ଅତିରିକ୍ତ କମିଶନର) ଏବଂ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସେମାନଙ୍କ ପୂର୍ବପରି ବର୍ତ୍ତମାନର ପଦବୀରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି। ରାଜ୍ୟର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରଶାସନିକ ଅଦଳବଦଳ କରାଯାଇଛି।