ରାୟଗଡ଼ା: ଛାତ୍ରୀ ନିବାସରେ ଜଣ୍ଡିସ୍ ଆତଙ୍କ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରବାଡି ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି ଖବର ପ୍ରଘଟ ହେବା ପରେ ମେଡିକାଲ ଟିମ୍ ସ୍କୁଲ ପରିଦର୍ଶନରେ ଆସି ଆକ୍ରାନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ବ୍ୟବହାର ହେଉଥିବା ନଳକୂପ ପାଣି ପିଇବାକୁ ମନା କରାଯାଇଛି । ତେବେ ଜଣ୍ଡିସ୍ ସଂକ୍ରମଣ ଘଟଣା ପରେ ଛାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।
ସୂଚନା ଅନୁଯାୟୀ, ଏହି ବିଦ୍ୟାଳୟର ଅନ୍ୟ ୧୦୦ରୁ ଅଧିକ ଛାତ୍ରୀଙ୍କ ଠାରେ ଜଣ୍ଡିସ୍ର ଲକ୍ଷଣ ଦେଖିବାକୁ ମିଳିଛି। ଅନୁସୂଚିତ ଜାତି ଜନଜାତି ବିକାଶ ବିଭାଗ ଦ୍ୱାରା ପରିଚାଳିତ ଏହି ସ୍କୁଲରେ ପ୍ରାୟ ୩୭୦ ଜଣ ଛାତ୍ରୀ ଅଛନ୍ତି। ସେପ୍ଟେମ୍ବର ୭ ତାରିଖରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା, ଯେତେବେଳେ ଛଅ ଜଣ ଛାତ୍ରୀଙ୍କ ଆଖି ହଳଦିଆ ପଡ଼ିବା ଏବଂ ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇଥିଲା। ପରେ ପରେ ଅଧିକ ଛାତ୍ରୀ ଅସୁସ୍ଥ ହେବା ପରେ, ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ କୁ ନିୟୋଜିତ କରାଯାଇଥିଲା ଏବଂ ସମସ୍ତ ଅନ୍ତେବାସୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣ୍ଡିସ୍ ଲକ୍ଷଣ କମିନାହିଁ ।