ନୂଆଦିଲ୍ଲୀ: ଭାରତର ସେମିକଣ୍ଡକ୍ଟର ବିପ୍ଳବରେ ଓଡ଼ିଶା ନିଜର ଦାବିକୁ ଆହୁରି ମଜବୁତ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀର ଯଶୋଭୂମିରେ Odisha Pavilionର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ, ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।
ଏହି ପ୍ୟାଭିଲିଅନ୍ରେ ଓଡ଼ିଶାର ସେମିକଣ୍ଡକ୍ଟର କ୍ଷେତ୍ରର ସମ୍ଭାବନା, ନିବେଶକଙ୍କ ପାଇଁ ରାଜ୍ୟର ନୀତିଗତ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି ଓ ବିଭିନ୍ନ ବିନିଯୋଗ ସୁଯୋଗକୁ ପ୍ରଦର୍ଶନ କରାଯାଇଛି। ବିଶେଷକରି ସେମିକଣ୍ଡକ୍ଟର ମାନୁଫାକ୍ଚରିଂ, ଆଡଭାନ୍ସଡ୍ ପ୍ୟାକେଜିଂ, ଚିପ୍ ଡିଜାଇନ୍ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ରାଜ୍ୟର ଯୋଜନା ଓ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି।
ସରକାରଙ୍କ ଲକ୍ଷ୍ୟ କେବଳ ନିବେଶ ଆକର୍ଷଣ ନୁହେଁ, ବରଂ ନବସୃଜନ, ଦକ୍ଷ ମାନବ ସମ୍ପଦ ଓ ଉଚ୍ଚମାନର ରୋଜଗାର ସୃଷ୍ଟି କରି ଓଡ଼ିଶାକୁ ଭାରତର ଉଦୀୟମାନ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବା। ପ୍ୟାଭିଲିଅନ୍ ମାଧ୍ୟମରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି, ଆଧୁନିକ ଶିଳ୍ପ ଭିତ୍ତିଭୂମି ଓ ପ୍ରତିଭା ବିକାଶକୁ ଏକାଠି କରିବାର ରାଜ୍ୟର ରୋଡମ୍ୟାପ୍ ଉପସ୍ଥାପିତ ହୋଇଛି।
ଅଧିକାରୀମାନଙ୍କ କହିବା ଅନୁଯାୟୀ, ଓଡ଼ିଶାର ସକ୍ରିୟ ଶିଳ୍ପ ନୀତି ଓ କୌଶଳଗତ ପଦକ୍ଷେପ ବିଶ୍ୱସ୍ତରୀୟ କମ୍ପାନୀଙ୍କୁ ଆକର୍ଷିତ କରିବା ସହ ଉନ୍ନତ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଆହୁରି ସୁଦୃଢ଼ କରିବ।