ଗଞ୍ଜାମ: ଦିନସାରା ପ୍ରଚଣ୍ଡ ଗରମ ପରେ ଅପରାହ୍ନରେ ବର୍ଷା ସହ ବଜ୍ରପାତ ଗଞ୍ଜାମ ଜିଲ୍ଲାରେ ଘଟାଇଛି ଦୁଇଟି ଅଲଗା ଅଘଟଣ। କବିସୂର୍ଯ୍ୟନଗର ଓ ହିଞ୍ଜିଳି ଥାନା ଅଞ୍ଚଳରେ ବଜ୍ରାଘାତରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି।
ମୃତକ ହେଲେ କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁର ନିତ୍ୟାନନ୍ଦ ଗୌଡ଼ (୬୨)। ସେହିପରି ଆହତ ଦୁଇ ଯୁବକ ହେଲେ ଶେରଗଡ଼ ଥାନା ସୋଲାସଲା ଗାଁର କାଳୁଚରଣ ପାତ୍ର (୩୦) ଓ ସତ୍ୟନାରାୟଣ ସାହୁ (୨୭)।
ସୂଚନା ଅନୁଯାୟୀ, ଅପରାହ୍ନରେ ପବନ ସହ ବର୍ଷା ଆରମ୍ଭ ହେବା ସହ ପ୍ରବଳ ବଜ୍ରପାତ ହୋଇଥିଲା। ମହାଛାଇ ଗାଁରେ ନିତ୍ୟାନନ୍ଦ ଚାଷଜମିରୁ ନଡ଼ା ସଂଗ୍ରହ କରୁଥିବା ସମୟରେ ହଠାତ୍ ବଜ୍ରପାତର ଶିକାର ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ମେଡିକାଲକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ, ହିଞ୍ଜିଳି ଥାନା ଅନ୍ତର୍ଗତ ଶ୍ୟାମଳାଇ ଛକରେ ଏକ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ କାଳୁଚରଣ ଓ ସତ୍ୟନାରାୟଣଙ୍କ ନିକଟରେ ବଜ୍ରପାତ ହୋଇଥିଲା। ଏଥିରେ ଉଭୟ ଗୁରୁତର ଭାବେ ପୋଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତୁରନ୍ତ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଦୁଇଜଣଙ୍କ ଚିକିତ୍ସା ଜାରି ରହିଛି।
ଲଗାତାର ବର୍ଷା ଓ ବଜ୍ରପାତକୁ ନେଇ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରିଥିବା ବେଳେ, ଖୋଲା ସ୍ଥାନ, ଗଛତଳ ଓ ଚାଷଜମିରେ ରହିବାକୁ ଏଡ଼ାଇବା ପାଇଁ ପ୍ରଶାସନ ସାଧାରଣ ଲୋକଙ୍କୁ ପୁଣିଥରେ ପରାମର୍ଶ ଦେଇଛି।