କନ୍ଧମାଳ: ବସ୍ଷ୍ଟାଣ୍ଡରେ ଚାଲିଥିଲା ବନ୍ୟଜନ୍ତୁ ଛାଲ ବେପାରର ଡିଲ୍। ମାତ୍ର ଡିଲ୍ ପୂର୍ବରୁ ମାଡ଼ି ବସିଲା ବନ ବିଭାଗ ଓ ପୋଲିସ୍। ଚିତାବାଘ ଛାଲ ଚୋରାଚାଲାଣ ଉଦ୍ୟମ ବେଳେ ଜଣେ ବ୍ୟକ୍ତିଙ୍କୁ ଧରିବା ସହ ତାଙ୍କ ନିକଟରୁ ଦୁଇଟି ଚିତାବାଘ ଛାଲ ଜବତ କରାଯାଇଛି। ବାଲିଗୁଡ଼ା ବସ୍ଷ୍ଟାଣ୍ଡ ନିକଟରେ ଏହି ଚଢ଼ାଉ ହୋଇଛି।
ଗିରଫ ବ୍ୟକ୍ତି ହେଲେ ଫିରିଙ୍ଗିଆ ଥାନା ଅଧୀନ ରତଙ୍ଗ ଗାଁର ଉତ୍ତମ ମାଝୀ। ବନ୍ୟଜନ୍ତୁ ଚୋରା କାରବାର ନେଇ ବନ ବିଭାଗକୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଏହାପରେ ବାଲିଗୁଡ଼ା ବସ୍ଷ୍ଟାଣ୍ଡରେ ଫରେଷ୍ଟ ଓ ପୋଲିସ୍ର ମିଳିତ ଟିମ୍ ଛାନ୍ଭିନ୍ କରିଥିଲା। ସନ୍ଦେହଜନକ ଭାବେ ଉତ୍ତମଙ୍କୁ ଅଟକାଇ ଯାଞ୍ଚ କରିବା ପରେ ତାଙ୍କ ନିକଟରୁ ଦୁଇଟି ଚିତାବାଘ ଛାଲ ମିଳିଥିଲା।
ବାଲିଗୁଡ଼ା ଡିଭିଜନ୍ର DFO ଘନଶ୍ୟାମ ମହାନ୍ତଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆଗକୁ ବଢ଼ୁଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଉତ୍ତମ ନିଜେ ଚିତାବାଘ ଶିକାର କରିନଥିଲେ। ଶିକାରୀଙ୍କଠାରୁ ଛାଲ ଆଣି ସମ୍ଭାବ୍ୟ କ୍ରେତାଙ୍କୁ ବିକ୍ରି କରିବା ପାଇଁ ସେ ମଧ୍ୟସ୍ଥ ଭାବେ କାମ କରୁଥିବା ସନ୍ଦେହ କରାଯାଉଛି। ରାଜ୍ୟ ଭିତରେ ହିଁ ଏହି ଛାଲ ବିକ୍ରି ପାଇଁ ନିଆଯାଉଥିବା ନେଇ ତଦନ୍ତରୁ ସୂଚନା ମିଳିଛି।
ବାଲିଗୁଡ଼ା ACF ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ବାଲିଗୁଡ଼ା ରେଞ୍ଜରଙ୍କ ସହ କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ ଓ ବ୍ରାହ୍ମଣୀଗାଁ ରେଞ୍ଜର କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।
ଘଟଣାରେ ବାଲିଗୁଡ଼ା ରେଞ୍ଜ ଅଫିସରେ Wildlife Protection Act, 1972ର ଧାରା 39(B), 48(A) ଓ 49(B) ଅନୁଯାୟୀ କେସ୍ ନମ୍ବର 43/2026-27 ରୁଜୁ ହୋଇଛି। ଜବତ ଚିତାବାଘ ଛାଲ କେଉଁଠାରୁ ଆସିଲା, ଏଥିରେ କେଉଁ ଶିକାରୀ ସାମିଲ ଏବଂ କାହା ପାଖକୁ ଏହା ପହଞ୍ଚିବାର ଥିଲା, ତାହା ଜାଣିବା ପାଇଁ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଛି।
ବନ ବିଭାଗ କହିଛି, ଶିକାରଠାରୁ ଆରମ୍ଭ କରି ଚୋରାଚାଲାଣ ଓ କ୍ରେତା ପର୍ଯ୍ୟନ୍ତ ଏହି ନେଟୱର୍କରେ ଯେଉଁମାନେ ସାମିଲ ଅଛନ୍ତି, ସମସ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ।