ଭୁବନେଶ୍ୱର: ରାଜ୍ୟର ବୃହତ ବିକାଶ ପ୍ରକଳ୍ପ, ସହରାଞ୍ଚଳ ପାନୀୟ ଜଳ ଯୋଜନା, ଏମ୍ଏସ୍ଏମ୍ଇ ପାର୍କ ଓ ବିଭିନ୍ନ ଫ୍ଲାଗସିପ୍ କାର୍ଯ୍ୟକ୍ରମର ଅଗ୍ରଗତିକୁ ନେଇ ମୁଖ୍ୟ ସଚିବ ଅନୁ ଗର୍ଗ ଆଜି ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜମି ଅଧିଗ୍ରହଣ, ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟାନ୍ୱୟନରେ ଥିବା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବୈଠକରେ ଗୃହ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଶ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା, ଏମ୍ଏସ୍ଏମ୍ଇ, ସଂସ୍କୃତି ସହ ଏକାଧିକ ବିଭାଗର ଯୋଜନାର ଜିଲ୍ଲାଭିତ୍ତିକ ଅଗ୍ରଗତି ସମୀକ୍ଷା କରାଯାଇଥିଲା। ବିଶେଷକରି ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲ୍ଲାର ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଜମି ସମସ୍ୟା ଦୂର କରିବାକୁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡିକାଲ ବର୍ଜ୍ୟ ପରିଚାଳନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜମି, ଆୟୁଷ ମେଡିକାଲ କଲେଜ ଓ ‘ଆମ ହସ୍ପିଟାଲ’ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ହୋଇଥିଲା। ଶ୍ରମ ବିଭାଗ ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲ ପାଇଁ ଜମି ଚିହ୍ନଟ ଓ ଶିଶୁ ଶ୍ରମ ନିରାକରଣ ଟାସ୍କ ଫୋର୍ସ ବୈଠକ ଉପରେ ଆଲୋଚନା କରିଥିଲା।
କୃଷି ବିଭାଗ ଏଗ୍ରିଷ୍ଟାକ୍ ଅଧୀନରେ କୃଷକ ପଞ୍ଜୀକରଣ ଓ ଖରିଫ-୨୦୨୬ ଡିଜିଟାଲ କ୍ରପ୍ ସର୍ଭେର ସ୍ଥିତି ଉପସ୍ଥାପନ କରିଥିବା ବେଳେ, ଏମ୍ଏସ୍ଏମ୍ଇ ବିଭାଗ ରାଜ୍ୟର ୩୦ ଜିଲ୍ଲାରେ ୩୦ଟି ଏମ୍ଏସ୍ଏମ୍ଇ ପାର୍କ ବିକଶିତ କରିବାର ଯୋଜନା ନେଇ ସମୀକ୍ଷା କରିଛି।
ମୁଖ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ସମନ୍ୱୟ ରଖି ପ୍ରକଳ୍ପ ସମ୍ପର୍କିତ ଜମି, ଅନୁମୋଦନ ଓ ନିର୍ମାଣ ସମସ୍ୟାର ସମୟସୀମା ମଧ୍ୟରେ ସମାଧାନ କରିବା ସହ ନିୟମିତ ଭାବେ ଅଗ୍ରଗତି ସମୀକ୍ଷା କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।