ଆଜି ପବିତ୍ର ରାଧାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି । ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ବାର୍ଷିକ ଆୟବ୍ୟୟର ହିସାବ ନେବାର ଦାୟିତ୍ଵ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ଉପରେ ନ୍ୟସ୍ତ ଥାଏ। ଆଜି ବାର୍ଷିକ ଆୟବ୍ୟୟର ହିସାବ ନେବେ ପ୍ରଭୁ ସୁଦର୍ଶନ । ରାଧାଷ୍ଟମୀ ଉପଲକ୍ଷେ ନଗର ପରିକ୍ରମା ସହ ଚାରିଆଶ୍ରମ ବିଜେ କରିବେ ଚକ୍ରରାଜ ସୁଦର୍ଶନ । ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇବେ । ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖାଯିବ ।
ସେହିପରି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ । ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା କରାଯିବ । ଏହାପରେ ପନ୍ତି ଭୋଗ ଖାଇ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ବର ମହାଦେବ ମନ୍ଦିରକୁ ବିଜେ କରିବେ ପ୍ରଭୁ ସୁଦର୍ଶନ । ଜମ୍ବେଶ୍ୱର ମନ୍ଦିରରେ ନିଆରା ପୂଜା ସହ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ବରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମୁଖରେ ପଢି ନିତି ସମ୍ପୂର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ରାଧାଷ୍ଟମୀ ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।