ଭୁବନେଶ୍ୱରରେ ନିଜ ଘର କରିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ପକ୍ଷରୁ ସୁବୁଦ୍ଧିପୁରସ୍ଥିତ ‘ଏକାମ୍ର ରେସିଡେନ୍ସି’ ହାଉସିଂ ପ୍ରୋଜେକ୍ଟରେ ଫ୍ଲାଟ୍ ଆବଣ୍ଟନ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଆବେଦନକାରୀ ଅକ୍ଟୋବର ୩୧ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ।
ପ୍ରାୟ ୭.୩୪ ଏକର ଜମିରେ ବିକଶିତ ହୋଇଛି ଏକାମ୍ର ରେସିଡେନ୍ସି। ଏଠାରେ ୨BHK ଏବଂ ୨BHK ପ୍ଲସ୍ ଷ୍ଟଡି ଫ୍ଲାଟ୍ ଉପଲବ୍ଧ ରହିଛି। ଆବେଦନ ପ୍ରକ୍ରିୟାରେ ମୋଟ ୪୯୬ଟି ଫ୍ଲାଟ୍ ଆବଣ୍ଟନ କରାଯିବ। ଏଥିରେ ୨୮୮ଟି ୨BHK ପ୍ଲସ୍ ଷ୍ଟଡି ଏବଂ ୨୦୮ଟି ୨BHK ଫ୍ଲାଟ୍ ରହିଛି। ଲଟେରୀ ମାଧ୍ୟମରେ ଯୋଗ୍ୟ ଆବେଦନକାରୀଙ୍କୁ ଫ୍ଲାଟ୍ ଆବଣ୍ଟନ କରାଯିବ।
ଆଧୁନିକ ଜୀବନଶୈଳୀକୁ ନଜରରେ ରଖି ପ୍ରକଳ୍ପରେ ବିଭିନ୍ନ ସୁବିଧା ରହିଛି। କଭର୍ଡ ପାର୍କିଂ, କମ୍ୟୁନିଟି ସେଣ୍ଟର, ଜିମ୍, ରୁଫ୍ଟପ୍ ସ୍ୱିମିଂ ପୁଲ୍, ସୁରକ୍ଷା ବ୍ୟବସ୍ଥା, ଲିଫ୍ଟ, ପାୱାର ବ୍ୟାକଅପ୍ ଏବଂ ସୁସଜ୍ଜିତ କମନ୍ ଏରିଆ ଭଳି ସୁବିଧା ରହିଛି। ସହରର ପ୍ରମୁଖ ରାସ୍ତା ଓ ପରିବହନ ବ୍ୟବସ୍ଥା ସହ ମଧ୍ୟ ଏହାର ଭଲ ଯୋଗାଯୋଗ ରହିଛି।
BDA ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି, ଏକାମ୍ର ରେସିଡେନ୍ସିର ୪୯୬ଟି ଫ୍ଲାଟ୍ ଆବଣ୍ଟନ ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଲଟେରୀ ମାଧ୍ୟମରେ ଫ୍ଲାଟ୍ ଆବଣ୍ଟନ ହେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଗ୍ରହୀ ବ୍ୟକ୍ତି ଅନଲାଇନ୍ ଆବେଦନ କରିପାରିବେ।
ଆବେଦନ ପୂର୍ବରୁ ପ୍ରତ୍ୟେକ ଆବେଦନକାରୀଙ୍କୁ Unique Account Number (UAN) ସୃଷ୍ଟି କରିବାକୁ ପଡ଼ିବ। BDA Property Allotment System ମାଧ୍ୟମରେ ସମସ୍ତ କାରବାର ପାଇଁ UAN ବାଧ୍ୟତାମୂଳକ। UAN ପଞ୍ଜୀକରଣ ସମୟରେ ଜନ୍ମତାରିଖ ଏବଂ ଠିକଣାର ବୈଧ ପ୍ରମାଣପତ୍ର ଦେବାକୁ ପଡ଼ିବ।
ଅନଲାଇନ୍ ବ୍ୟବସ୍ଥାରେ ଆବେଦନ ଦାଖଲଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ ସ୍କ୍ରୁଟିନି, ଲଟେରୀ, ପ୍ରୋଭିଜନାଲ୍ ଆଲଟମେଣ୍ଟ ଓ ଅନଲାଇନ୍ ପେମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟର ସୁବିଧା ମିଳିବ। ଆବେଦନ ସହ ୧୦ ହଜାର ଟଙ୍କା ଆବେଦନ ଫି ଏବଂ ୨ ଲକ୍ଷ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ (EMD) ଦାଖଲ କରିବାକୁ ପଡ଼ିବ।
ଏକାମ୍ର ରେସିଡେନ୍ସିର ବିସ୍ତୃତ ବିବରଣୀ ଓ ବ୍ରୋସିଅର୍ ପାଇଁ ଆଗ୍ରହୀ ଆବେଦନକାରୀ BDAର ଅଧିକାରିକ ୱେବସାଇଟ୍ bda.gov.in ରେ ଲଗ୍ଇନ୍ କରିପାରିବେ।