ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (OAS)ର ୧୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS)କୁ ପଦୋନ୍ନତି ମିଳିଛି। କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ସେପ୍ଟେମ୍ବର ୩ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ପରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
ପଦୋନ୍ନତି ପରେ ଅନେକ ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ସୂର୍ଯ୍ୟ ନାରାୟଣ ଦାଶ, ସୌଦାମିନୀ ସେଠୀ ଓ ଶୁଭ୍ରା ମହାନ୍ତିଙ୍କୁ ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି। ସେମାନେ ପୂର୍ବରୁ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଥିଲେ। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି।
ମଧୁମିତା ନାୟକଙ୍କୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି। ଏଥିସହ ସେ ଭୁବନେଶ୍ୱରର କର୍ମଚାରୀ ରାଜ୍ୟ ବୀମା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ।
ସେହିପରି ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଯୋଜନା ଓ ସମନ୍ୱୟ ବିଭାଗ, ଜ୍ୟୋତି ରଞ୍ଜନ ମିଶ୍ରଙ୍କୁ ଶିଳ୍ପ ବିଭାଗ, ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗ ଏବଂ ସଂଘମିତ୍ରା ଶତପଥୀଙ୍କୁ ଗ୍ରାମୀଣ ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି।
ଅନ୍ୟପଟେ, ନବନିଯୁକ୍ତ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ କେତେକଙ୍କୁ ସେମାନଙ୍କ ବର୍ତ୍ତମାନର ପଦବୀରେ ହିଁ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦିଆଯାଇଛି। ସୁମିତା ସରକାର କଟକର ସେଟଲମେଣ୍ଟ ଓ କନସୋଲିଡେସନ୍, ବାଲମାକୁଣ୍ଡା ଭୂୟାଁ ଭୁବନେଶ୍ୱରର ପ୍ରାଥମିକ ଶିକ୍ଷା, ମଧୁମିତା ନାୟକ କେନ୍ଦୁଝରର ସେଟଲମେଣ୍ଟ ଓ କନସୋଲିଡେସନ୍ ଏବଂ ସୁରେନ୍ଦ୍ର କୁମାର ପଣ୍ଡା ଭୁବନେଶ୍ୱରସ୍ଥିତ ଇଡକୋର ମୁଖ୍ୟ ସାଧାରଣ ପରିଚାଳକ ଭାବେ ନିଜ ଦାୟିତ୍ୱ ଜାରି ରଖିବେ।