ୱାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟ କରିବାକୁ ଆଶା ରଖିଥିବା ଲକ୍ଷ ଲକ୍ଷ ବିଦେଶୀ କର୍ମଚାରୀଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଝଟକା ଦେଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସା ଉପରେ ୧,୦୦,୦୦୦ ଡଲାର୍ ଶୁଳ୍କ ଲାଗୁ କରୁଥିବା ଆଦେଶକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ।
H-1B ଭିସା କାର୍ଯ୍ୟକ୍ରମ ମୁଖ୍ୟତଃ ଆମେରିକାରେ ବିଭିନ୍ନ ଚାକିରୀ ପାଇଁ ଭାରତୀୟ ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବହୃତ ହୋଇଥାଏ । ଫଳସ୍ୱରୂପ, ଏହି ନିଷ୍ପତ୍ତି ଭାରତୀୟ ପ୍ରତିଭା, ଆମେରିକୀୟ କମ୍ପାନୀ ଏବଂ ବିଶ୍ୱସ୍ତରୀୟ ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଇପାରେ ।
ହ୍ୱାଇଟ୍ ହାଉସ୍ ଶୁକ୍ରବାର ଦିନ ଘୋଷଣା କରିଛି ଯେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଅଣ-ଆବାସିକ ଭିସା (non-immigrant visas) ଉପରେ ୧,୦୦,୦୦୦ ଡଲାର୍ ଶୁଳ୍କ ଲାଗୁ କରୁଥିବା ଏକ କାର୍ଯ୍ୟକାରୀ ଆଦେଶର ଅବଧିକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏହି ଆଦେଶ ପ୍ରଥମେ ସେପ୍ଟେମ୍ବର ୨୦୨୫ରେ ଜାରି କରାଯାଇଥିଲା ଏବଂ ଏହାର ସମୟସୀମା ଚଳିତ ମାସରେ ଶେଷ ହେବାକୁ ଥିବାବେଳେ ଏହାକୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି ଯାହା H1-B ଭିସା ପାଇଁ ଆବେଦନ ଫି ଏକ ଲକ୍ଷ ଡଲାର (ଭାରତୀୟ ମୁଦ୍ରା ଅନୁସାରେ ୮୮ ଲକ୍ଷ ଟଙ୍କା)କୁ ବୃଦ୍ଧି କରିବ। ଏହି ପଦକ୍ଷେପ ଆମେରିକାରେ କାର୍ଯ୍ୟ ଭିସାରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ। ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି ଯାହା H1-B ଆବେଦନକାରୀଙ୍କୁ ପ୍ରାୟୋଜିତ କରିବା ପାଇଁ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଉଥିବା ଫି ଏକ ଲକ୍ଷ ଡଲାରକୁ ବୃଦ୍ଧି କରିବ।
ଅଧିକ ପଢ଼ନ୍ତୁ:-ଇସ୍ରାଏଲକୁ ଦେଉଥିଲେ ସୈନ୍ୟ ଠିକଣା: ଗୁପ୍ତଚରକୁ ଫାଶୀ ଖୁଣ୍ଟରେ ଝୁଲାଇଲା ଇରାନ
ଟ୍ରମ୍ପ ପ୍ରଶାସନ ଯୁକ୍ତି ଦର୍ଶାଇଛି ଯେ କିଛି କମ୍ପାନୀ କମ୍ ବେତନରେ ଆମେରିକୀୟ କର୍ମଚାରୀଙ୍କ ସ୍ଥାନରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତ କରିବା ପାଇଁ ଏହାର ଦୂରପଯୋଗ କରୁଛନ୍ତି । ଟ୍ରମ୍ପ ପ୍ରଶାସନ ବର୍ତ୍ତମାନର ଶୁଳ୍କ ଯାହା ୨,୦୦୦ ରୁ ୫,୦୦୦ ଡଲାର ମଧ୍ୟରେ ରହିଛି ତାହାକୁ ସ୍ଥାୟୀ ଭାବରେ ବୃଦ୍ଧି କରି ସର୍ବନିମ୍ନ ୧,୦୦,୦୦୦ ଡଲାର କରିବାକୁ ଲକ୍ଷ୍ୟ ରଖିଛି ।
ତଥାପି, ଶୁଳ୍କ ବୃଦ୍ଧିର ଏହି ପଦକ୍ଷେପ ଆଇନଗତ ଆହ୍ୱାନର ସମ୍ମୁଖୀନ ହେଉଛି। ଜୁନ୍ ମାସରେ, ଜଣେ ସଂଘୀୟ ବିଚାରପତି ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ବର୍ଦ୍ଧିତ ଶୁଳ୍କ ଆଦାୟ ଉପରେ ରୋକ୍ ଲଗାଇ ଏହାକୁ ବେଆଇନ ବୋଲି ଘୋଷଣା କରିଥିଲେ। ବୋଷ୍ଟନ୍ ସ୍ଥିତ ଏକ ଅପିଲ୍ କୋର୍ଟ ବର୍ତ୍ତମାନ ଏହି ରାୟର ସମୀକ୍ଷା କରୁଛନ୍ତି। ଏହି ସମୟରେ, ଅନ୍ୟ ଏକ ଅଦାଲତ 'ୟୁ.ଏସ୍. ଚାମ୍ବର ଅଫ୍ କମର୍ସ' ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାର ବିଚାର କରୁଛନ୍ତି।