ବିଗତ ସପ୍ତାହାନ୍ତରେ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ (BRICS) ସମ୍ମିଳନୀରେ ଭଲ ଭଲ କଥା କହି ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ବେଜିଂ ଫେରିବା ମାତ୍ରେ ଡ୍ରାଗନ୍ ନିଜର ଅସଲି ରୂପ ଦେଖାଇଦେଇଛି। ତା’ର ପାକିସ୍ତାନ ପ୍ରେମ ଆଉଥରେ ସାମ୍ନାକୁ ଆସିଛି। ସେଥିପାଇଁ ତ ଦୁଇ ଦେଶ ଏପରି ଏକ କାର୍ଯ୍ୟ କରିଛନ୍ତି ଯାହାଦ୍ୱାରା ଭାରତ ଅସନ୍ତୁଷ୍ଟ ହେବା ସ୍ୱାଭାବିକ। ବାସ୍ତବରେ, ଚୀନ୍ ଏବଂ ପାକିସ୍ତାନ ଦୂରର ପଡ଼ୋଶୀ ଦେଶ। ଦୁଇ ଦେଶର କୌଣସି ସୀମା ପରସ୍ପରକୁ ଛୁଏନାହିଁ । ତଥାପି ଏହି ଦୁଇ ଦେଶ ତଥାକଥିତ ପାକିସ୍ତାନ-ଚୀନ୍ ସୀମା ଆୟୋଗକୁ କାର୍ଯ୍ୟକ୍ଷମ (Operationalized) କରିଛନ୍ତି। ଅର୍ଥାତ୍ ଏହି ଦୁଇ ଦେଶ ମଧ୍ୟରେ ଏହି କମିସନ୍ ସେହି ଅଞ୍ଚଳକୁ ନେଇ ଆଲୋଚନା କରିବ ଯାହା ସମ୍ପୂର୍ଣ୍ଣ ଭାବେ ଭାରତର। ଏହାଦ୍ୱାରା ଭାରତ କ୍ରୋଧିତ ହେବା ସ୍ୱାଭାବିକ। ଚୀନ୍-ପାକିସ୍ତାନର ଏହି ହରକତ୍ ଉପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।
ଭାରତ ଏକ ବିବୃତି ଜାରି କରି କହିଛି ଯେ ଆମେ ତଥାକଥିତ ପାକିସ୍ତାନ-ଚୀନ୍ ବାଉଣ୍ଡରୀ ଜଏଣ୍ଟ କମିସନ୍କୁ ଖାରଜ କରିସାରିଛୁ। ଏହି କଥିତ କମିସନ୍କୁ ବୁଧବାର ଦିନ ଇସଲାମାବାଦରେ କାର୍ଯ୍ୟକ୍ଷମ କରାଯାଇଛି। ଭାରତ ସ୍ପଷ୍ଟ କରିଛି ଯେ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖର ପୂରା ଅଂଶ ଭାରତର ଅଭିନ୍ନ ଅଙ୍ଗ। ବୈଦେଶିକ ମନ୍ତ୍ରଣାଳୟର ଏହି ବିବୃତିରେ ପାକିସ୍ତାନ-ଚୀନ୍ ମଧ୍ୟରେ କୌଣସି ସୀମାକୁ ଅସ୍ୱୀକାର କରାଯାଇଛି। ଏହାର କୌଣସି ଆଇନଗତ ଆଧାର ନାହିଁ।
କେଉଁଠି ଅଛି ଶକ୍ସଗାମ୍ ଅଞ୍ଚଳ?
ବାସ୍ତବରେ ଚୀନ୍ ଏବଂ ପାକିସ୍ତାନର ସୀମା କାଗଜପତ୍ରରେ କୌଣସିଠାରେ ମିଶେନାହିଁ। କିନ୍ତୁ, ଚୀନ୍ର ଶିନ୍ଜିଆଙ୍ଗ୍ ଅଞ୍ଚଳ ସହ ପାକିସ୍ତାନ କବ୍ଜାରେ ଥିବା ଗିଲ୍ଗିଟ୍-ବାଲ୍ଟିସ୍ତାନ୍ର ସୀମା ଲାଗିରହିଛି। କାରଣ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଆନୁଷ୍ଠାନିକ ଭାବେ ଭାରତର, କିନ୍ତୁ ପାକିସ୍ତାନ ବେଆଇନ ଭାବେ ଏହାକୁ କବ୍ଜା କରି ରଖିଛି। ଏହି କାରଣରୁ ସମ୍ପୂର୍ଣ୍ଣ ମାମଲା ଜଟିଳ ହୋଇରହିଛି। ପାକିସ୍ତାନ ଏବଂ ଚୀନ୍ ଏହାକୁ ନିଜର ସୀମା ବୋଲି ଦାବି କରିବାରେ ଲାଗିଛନ୍ତି। ଭାରତର କହିବା କଥା ହେଉଛି ଜାମ୍ମୁ-କାଶ୍ମୀର ଏବଂ ଲଦାଖର ଗିଲ୍ଗିଟ୍-ବାଲ୍ଟିସ୍ତାନ୍ ଅଞ୍ଚଳ ତା’ର ଅଂଶ, ଯାହାକୁ ପାକିସ୍ତାନ ୧୯୪୭-୪୮ ପରଠାରୁ କବ୍ଜା କରି ରଖିଛି। ଏହି କାରଣରୁ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ସୀମା ସହ ଜଡ଼ିତ କୌଣସି ବି ସମ୍ପର୍କ କିମ୍ବା ଚୁକ୍ତି ଭାରତର ନିଜ ଜମି ସହ ଜଡ଼ିତ ହୋଇଥାଏ।
୧୯୬୩ ରେ ହୋଇଥିଲା ବଡ଼ ଚୁକ୍ତି
ଚୀନ୍ ଏବଂ ପାକିସ୍ତାନ ୨ ମାର୍ଚ୍ଚ ୧୯୬୩ ରେ ଏକ ସୀମା ଚୁକ୍ତି କରିଥିଲେ। ଏହି ଚୁକ୍ତି ଚୀନ୍ର ଶିନ୍ଜିଆଙ୍ଗ୍ ଏବଂ ପାକିସ୍ତାନ କବ୍ଜାରେ ଥିବା ଉତ୍ତର ଅଞ୍ଚଳ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲା। ଏହି ଚୁକ୍ତି ଅଧୀନରେ ପାକିସ୍ତାନ ଶକ୍ସଗାମ୍ ଘାଟୀ ଅର୍ଥାତ୍ ଟ୍ରାନ୍ସ-କାରାକୋରମ୍ ଟ୍ରାକ୍ଟର ପ୍ରାୟ ୫,୦୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ଚୀନ୍କୁ ଦେଇଦେଇଥିଲା। ଯେତେବେଳେ କାଗଜପତ୍ର ହିସାବରେ ଏହା ଭାରତର ଜାମ୍ମୁ-କାଶ୍ମୀରର ଅଂଶ ଥିଲା। ପାକିସ୍ତାନ ପ୍ରଥମେ ବେଆଇନ ଭାବେ ଭାରତର ଜମି କବ୍ଜା କଲା ଏବଂ ତା’ପରେ ତାହା ଚୀନ୍କୁ ଦେଇଦେଲା। ଭାରତ ଏହି ଚୁକ୍ତିକୁ କେବେବି ସ୍ୱୀକୃତି ଦେଇନାହିଁ। ନୂଆଦିଲ୍ଲୀ ବାରମ୍ବାର କହିଆସୁଛି ଯେ ପାକିସ୍ତାନ ପାଖରେ ଜାମ୍ମୁ-କାଶ୍ମୀରର ସେହି ଅଞ୍ଚଳକୁ କୌଣସି ତୃତୀୟ ଦେଶକୁ ଦେବା କିମ୍ବା ତା’ ବିଷୟରେ କୌଣସି ସୀମା ଚୁକ୍ତି କରିବାର କୌଣସି ଅଧିକାର ହିଁ ନଥିଲା। ବୈଦେଶିକ ମନ୍ତ୍ରଣାଳୟ ୧୯୬୩ ର ତଥାକଥିତ ଚୀନ୍-ପାକିସ୍ତାନ ସୀମା ଚୁକ୍ତିକୁ କ୍ରମାଗତ ଭାବେ ବେଆଇନ ଏବଂ ଅସିଦ୍ଧ ବୋଲି ଦର୍ଶାଇ ଆସିଛି।
ରୋଚକ କଥା ହେଉଛି, ୧୯୬୩ ର ଚୁକ୍ତିରେ ଏକ ପ୍ରାବଧାନ ଥିଲା ଯେ କାଶ୍ମୀର ବିବାଦର ଅନ୍ତିମ ସମାଧାନ ହେବା ପରେ ସମ୍ପୃକ୍ତ ସାର୍ବଭୌମ ପକ୍ଷ ସହିତ ସୀମାକୁ ନେଇ ଆଉଥରେ ଆଲୋଚନା କରାଯିବ। ଅର୍ଥାତ୍ ସେହି ସମୟରେ ମଧ୍ୟ ଏହି ଚୁକ୍ତି କାଶ୍ମୀର ବିବାଦର ଅନ୍ତିମ ସମାଧାନ ସହିତ ଜଡ଼ିତ ଥିଲା।
ଏବେ ବର୍ଡର ମ୍ୟାନେଜମେଣ୍ଟ କମିସନ୍ କାହିଁକି ବନାଇଲେ?
ଏହିଠାରୁ ହିଁ ବର୍ତ୍ତମାନର ବିବାଦ ଆରମ୍ଭ ହେଉଛି। ପାକିସ୍ତାନ ଏବଂ ଚୀନ୍ ଏବେ କେବଳ ସୀମା ନିର୍ଦ୍ଧାରଣର ପୁରୁଣା ବ୍ୟବସ୍ଥା ମଧ୍ୟରେ ସୀମିତ ରହିବାକୁ ଚାହୁଁନାହାନ୍ତି। ଦୁଇ ଦେଶ ସୀମା ପରିଚାଳନା, ଯୌଥ ସର୍ଭେ ଏବଂ ସୀମା ସହ ଜଡ଼ିତ ସହଯୋଗକୁ ସଂସ୍ଥାଗତ ରୂପ ଦେବା ପାଇଁ ଯୌଥ ଆୟୋଗକୁ ସକ୍ରିୟ କରିଛନ୍ତି। ଏହି ଆୟୋଗର ପ୍ରଥମ ବୈଠକ ଇସଲାମାବାଦରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସୀମା ପରିଚାଳନା, ଯୌଥ ସୀମା ସର୍ଭେ ଏବଂ ବାଣିଜ୍ୟ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ସହଯୋଗ କଥା ସାମ୍ନାକୁ ଆସିଛି। ଚୀନ୍ ଏବଂ ପାକିସ୍ତାନ ପାଇଁ ଏହି ସହଯୋଗ ରଣନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦେଶ ମଧ୍ୟରେ କାରାକୋରମ୍ ହାଇୱେ ରହିଛି ଏବଂ ଚୀନ୍-ପାକିସ୍ତାନ ଆର୍ଥିକ କରିଡୋର୍ ଅର୍ଥାତ୍ ସିପେକ୍ (CPEC) ମଧ୍ୟ ଏହି ବ୍ୟାପକ ଅଞ୍ଚଳ ସହ ଜଡ଼ିତ। ସିପେକ୍ର ଏକ ଅଂଶ ପାକିସ୍ତାନ କବ୍ଜାରେ ଥିବା ଜାମ୍ମୁ-କାଶ୍ମୀର ଦେଇ ଗତି କରିଥାଏ। ସେଥିପାଇଁ ଭାରତ ଦୀର୍ଘ ସମୟ ଧରି ଏହି ପ୍ରକଳ୍ପର ମଧ୍ୟ ବିରୋଧ କରିଆସୁଛି।
ଭାରତ କାହିଁକି ଏହାକୁ ଖାରଜ କରୁଛି?
ଭାରତର ଯୁକ୍ତି ସିଧାସଳଖ। ଯଦି କୌଣସି ଅଞ୍ଚଳ ଭାରତର ଅଂଶ, ତେବେ ସେହି ଅଞ୍ଚଳର ଭବିଷ୍ୟତ, ସୀମା କିମ୍ବା ପ୍ରଶାସନକୁ ନେଇ ପାକିସ୍ତାନ ଏବଂ ଚୀନ୍ ନିଜ ନିଜ ମଧ୍ୟରେ କୌଣସି ଚୁକ୍ତି କରିପାରିବେ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ନିଜର ତାଜା ବିବୃତିରେ କହିଛି ଯେ ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶ। ସେଥିପାଇଁ ଏହି ଅଞ୍ଚଳଗୁଡ଼ିକ ସହ ଜଡ଼ିତ ଚୀନ୍-ପାକିସ୍ତାନର କୌଣସି ବି ସୀମା ସମ୍ବନ୍ଧୀୟ ବ୍ୟବସ୍ଥା ଭାରତକୁ ଗ୍ରହଣୀୟ ନୁହେଁ ଏବଂ ଏହାଦ୍ୱାରା ଭାରତର ସାର୍ବଭୌମତ୍ୱ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଅର୍ଥାତ୍ ଭାରତ ପାଇଁ ଅସଲି ପ୍ରସଙ୍ଗ ଏହା ନୁହେଁ ଯେ ଚୀନ୍ ଏବଂ ପାକିସ୍ତାନ ନିଜ ନିଜ ମଧ୍ୟରେ ସୀମା ପରିଚାଳନା କାହିଁକି କରୁଛନ୍ତି। ପ୍ରସଙ୍ଗ ହେଉଛି ଦୁହେଁ ଯେଉଁ ସୀମା ଏବଂ ଅଞ୍ଚଳ କଥା କହୁଛନ୍ତି, ତାହା ଭାରତର ଜମି।
ତା’ହେଲେ ଅକ୍ସାଇ ଚୀନ୍ କେଉଁଠି ଆସୁଛି?
ଅକ୍ସାଇ ଚୀନ୍, ଚୀନ୍ ଏବଂ ଭାରତ ମଧ୍ୟରେ ଅଲଗା ବିବାଦୀୟ ଅଞ୍ଚଳ। ଏହା ଲଦାଖର ଉତ୍ତର-ପୂର୍ବ ଅଂଶରେ ଅବସ୍ଥିତ ଏବଂ ବର୍ତ୍ତମାନ ଚୀନ୍ କବ୍ଜାରେ ରହିଛି। ଏହା ବର୍ତ୍ତମାନର ଲଦାଖର ଅଂଶ, ଯେତେବେଳେ କି ଚୀନ୍ ଏହାକୁ ଶିନ୍ଜିଆଙ୍ଗ୍ ଏବଂ ତିବ୍ବତ ମଧ୍ୟରେ ନିଜ ନିୟନ୍ତ୍ରଣାଧୀନ ଅଞ୍ଚଳ ବୋଲି ଦର୍ଶାଏ। ଅକ୍ସାଇ ଚୀନ୍ ଏବଂ ଶକ୍ସଗାମ୍ ଘାଟୀକୁ ଅଲଗା ଅଲଗା ବୁଝିବା ଜରୁରୀ। ଅକ୍ସାଇ ଚୀନ୍ ସିଧାସଳଖ ଭାରତ-ଚୀନ୍ ବିବାଦର ଅଂଶ, ଯେତେବେଳେ କି ଶକ୍ସଗାମ୍ ଘାଟୀ ଭାରତ-ପାକିସ୍ତାନ-ଚୀନ୍ ବିବାଦର ତ୍ରିକୋଣ ସହ ଜଡ଼ିତ। ୧୯୬୩ ର ଚୁକ୍ତିରେ ପାକିସ୍ତାନ ଶକ୍ସଗାମ୍ ଅଞ୍ଚଳ ଚୀନ୍କୁ ଦେଇଦେଇଥିଲା, ଯାହା ସମ୍ପୂର୍ଣ୍ଣ ଭାବେ ଏକ ବେଆଇନ କାରବାର।
ପାକିସ୍ତାନର ସୀମା କେଉଁ କେଉଁ ଦେଶ ସହ ମିଶୁଛି?
ଭୌଗୋଳିକ ଭାବେ ପାକିସ୍ତାନର ସୀମା ତିନୋଟି ଦେଶ ସହ ଲାଗିରହିଛି—ଭାରତ, ଆଫଗାନିସ୍ତାନ ଏବଂ ଇରାନ। ଚୀନ୍ ସହ ତା’ର କୌଣସି ଆନୁଷ୍ଠାନିକ ସୀମା ନାହିଁ। ସେ ଯେଉଁ ଭାରତୀୟ ଭୂଖଣ୍ଡକୁ ବେଆଇନ ଭାବେ କବ୍ଜା କରିଛି, ତା’ରି ଜରିଆରେ ଚୀନ୍ ସହ ତା’ର ସଂଯୋଗ ହୋଇଥାଏ। ଏହି ଅଞ୍ଚଳ କାରାକୋରମ୍ ଅଞ୍ଚଳରେ ଅବସ୍ଥିତ। ପାକିସ୍ତାନର ପଶ୍ଚିମରେ ଆଫଗାନିସ୍ତାନ ଏବଂ ଦକ୍ଷିଣ-ପଶ୍ଚିମରେ ଇରାନ ଅଛି। ପୂର୍ବରେ ଭାରତ ଅଛି, ଯେତେବେଳେ କି ଦକ୍ଷିଣରେ ଆରବ ସାଗର ରହିଛି।