ନୂଆଦିଲ୍ଲୀ: ଭାରତ ସର୍ବଦା ଏକ ସ୍ୱାଧୀନ ବୈଦେଶିକ ନୀତି ଅନୁସରଣ କରେ ଏବଂ ଚୀନ୍ ସହ ଏହାର ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ତୃତୀୟ ଦେଶର ପ୍ରଭାବ ନଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବାର୍ତ୍ତାକୁ ଚୀନ୍ ପକ୍ଷରୁ ସ୍ୱାଗତ କରାଯାଇଛି। ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଏହି ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବେଜିଂ ମତ ଦେଇଛି।
ବ୍ରିକ୍ସ ଶିଖର ସମ୍ମିଳନୀରେ ସାକ୍ଷାତ
ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଗତ ସାତ ବର୍ଷ ମଧ୍ୟରେ ସି ଜିନପିଙ୍ଗ୍ଙ୍କର ଏହା ଥିଲା ପ୍ରଥମ ଭାରତ ଗସ୍ତ। ଗତ ତିନି ବର୍ଷ ଭିତରେ ଦୁଇ ନେତାଙ୍କ ମଧ୍ୟରେ ଏହା ତୃତୀୟ ସାକ୍ଷାତ ଥିଲା, ଯାହାକୁ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବାର ଏକ ବଡ଼ ପଦକ୍ଷେପ ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କାଜାନରୁ ଆରମ୍ଭ ହୋଇଥିବା ଆଲୋଚନା ତିଆଞ୍ଜିନ୍ ଏବଂ ଏବେ ନୂଆଦିଲ୍ଲୀରେ ପହଞ୍ଚିବା ଭାରତ-ଚୀନ୍ ସମ୍ପର୍କର ସକାରାତ୍ମକ ଦିଗକୁ ଦର୍ଶାଉଛି। "ଚୀନ୍ ଏବଂ ଭାରତ ପରସ୍ପରର ଭାଗିଦାରୀ ବା ପାର୍ଟନର୍ ହେବା ଉଚିତ୍ଏହା ହେଉଛି ସବୁଠାରୁ ବଡ଼ ସହମତି," ବୋଲି ସେ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ କୂଟନୈତିକ ସ୍ୱାଧୀନତା ବାର୍ତ୍ତା
ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୈତିକ ସ୍ୱାଧୀନତା ଏବଂ ଚୀନ୍ ପ୍ରତି ଆଭିମୁଖ୍ୟକୁ ବେଜିଂ ବିଶେଷ ଭାବେ ପ୍ରଶଂସା କରିଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଭାରତର ଏକ ସ୍ୱାଧୀନ ବୈଦେଶିକ ନୀତି ରହିଛି ଏବଂ କୌଣସି ତୃତୀୟ ପକ୍ଷ ଦ୍ୱାରା ଦୁଇ ଦେଶର ସମ୍ପର୍କ ପ୍ରଭାବିତ ହୁଏ ନାହିଁ। ଏଥିସହ ଭାରତୀୟ ଭୂମିକୁ କୌଣସି ଚୀନ୍ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ସୀମାଗତ ଉତ୍ତେଜନା ମଧ୍ୟରେ ଏହି ପଦକ୍ଷେପ ଦୁଇ ଦେଶର ସମ୍ପର୍କକୁ ଅଧିକ ସ୍ୱାଧୀନ ଏବଂ ସ୍ଥିର କରିବ ବୋଲି ଆଶା କରାଯାଉଛି।
Also Read: ରୁଷ-ୟୁକ୍ରେନ ଯୁଦ୍ଧ: ଡୋନାଲ୍ଡ ଟ୍ରମ୍ପଙ୍କ ଫର୍ମୁଲାକୁ ଗ୍ରହଣ କଲେ ମସ୍କୋ ଓ କିଭ, ଆଉ ପରସ୍ପରର ଶକ୍ତି କେନ୍ଦ୍ର ଉପରେ କରିବେ ନାହିଁ ଆକ୍ରମଣ