ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧିକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଜଣେ ବିଶ୍ୱଖ୍ୟାତ ଆମେରିକୀୟ ଅର୍ଥଶାସ୍ତ୍ରୀ ଏକ ବଡ଼ ଦାବି କରିଛନ୍ତି। କୋଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଜେଫ୍ରି ସେକ୍ସ ପୂର୍ବାନୁମାନ କରିଛନ୍ତି ଯେ, ଆଗାମୀ କିଛି ଦଶନ୍ଧି ଭିତରେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୀତି ଭାବେ ઉଭା ହେବ। ଏପରିକି ଏହି ଶତାବ୍ଦୀର କୌଣସି ଏକ ସମୟରେ ଭାରତ ଆମେରିକାକୁ ପଛରେ ପକାଇ ପୃଥିବୀର ନମ୍ବର-୧ ଅର୍ଥନୀତି ପାଲଟିବାର କ୍ଷମତା ରଖିଛି।
ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଜେଫ୍ରି ସେକ୍ସ କହିଛନ୍ତି ଯେ, ଆଗାମୀ ୨୫ ବର୍ଷରୁ କମ୍ ସମୟ ମଧ୍ୟରେ ଭାରତ ଏବଂ ଚୀନ୍ ବିଶ୍ୱର ଦୁଇଟି ସର୍ବବୃହତ୍ ଅର୍ଥନୀତି ଭାବେ ପରସ୍ପର ନିକଟତର ହେବେ। ଏହି ସମୟରେ ଆମେରିକା ତୃତୀୟ ସ୍ଥାନକୁ ଖସିଯାଇପାରେ ବୋଲି ସେ ଆକଳନ କରିଛନ୍ତି। ବିଶ୍ୱ ଅର୍ଥନୈତିକ କ୍ଷମତାର କେନ୍ଦ୍ରବିନ୍ଦୁ ଏବେ ପୁଣି ଥରେ ପଶ୍ଚିମ ଦେଶରୁ ବାହୁଡ଼ି ଏସିଆ ଆଡ଼କୁ ଫେରୁଛି ବୋଲି ସେ ମତ ଦେଇଛନ୍ତି।
ଜେଫ୍ରି ସେକ୍ସଙ୍କ ମତରେ, ଭାରତ ଏବଂ ଚୀନ୍ ମଧ୍ୟରେ ଆର୍ଥିକ ଏବଂ ବୈଷୟିକ ସହଯୋଗ ବୃଦ୍ଧି ପାଇଲେ ଏହା ଏକ 'ମଲ୍ଟିପୋଲାର୍ ୱାର୍ଲ୍ଡ' ବା ବହୁମୁଖୀ ବିଶ୍ୱବ୍ୟବସ୍ଥା ଗଠନ କରିବାରେ ସହାୟକ ହେବ। ଯେଉଁଠାରେ କେବଳ ଗୋଟିଏ ଦେଶର ଏକଛତ୍ରବାଦ କିମ୍ବା ପ୍ରଭୁତ୍ୱ ରହିବ ନାହିଁ। ଦୁଇ ଦେଶ ମଧ୍ୟରେ କିଛି ସୀମାଗତ ମତଭେଦ ଥିଲେ ସବୁ, ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ସାମଗ୍ରୀ ଯୋଗାଣ ଶୃଙ୍ଖଳା (Supply Chain) କ୍ଷେତ୍ରରେ ମିଳିତ ଭାବେ କାମ କଲେ ଉଭୟ ଦେଶ ଅଧିକ ଲାଭବାନ ହେବେ ବେଳେ ସେ କହିଛନ୍ତି।
ବ୍ରିକ୍ସର ଗୁରୁତ୍ୱ ଏବଂ ଆମେରିକାର ଏକପାଖିଆ ନୀତି
ଆମେରିକାର ଏକପାଖିଆ ଏବଂ କୂଟନୈତିକ ନୀତିଗୁଡ଼ିକୁ ସମାଲୋଚନା କରି ସେ କହିଛନ୍ତି ଯେ ବର୍ତ୍ତମାନର ବିଶ୍ୱ ବ୍ୟବସ୍ଥା ଆଉ ଗୋଟିଏ ଦିଗରେ ସୀମିତ ନାହିଁ। ବିଶ୍ୱ ଅର୍ଥନୀତିର ପ୍ରାୟ ୪୦ ପ୍ରତିଶତ ଅଂଶଧନ ବହନ କରୁଥିବା 'ବ୍ରିକ୍ସ'ଭଳି ସଂଗଠନଗୁଡ଼ିକ ଆମେରିକାର ଏକଚାଟିଆ ନୀତି ବିରୁଦ୍ଧରେ ଏକ ବଡ଼ ପ୍ରତିସନ୍ତୁଳନ ଭାବେ କାମ କରୁଛି। ଆଗାମୀ ଦିନରେ ଭାରତର ବର୍ଦ୍ଧିତ ଜନସଂଖ୍ୟାଗତ ସୁବିଧା ଏବଂ ଦ୍ରୁତ ଅଭିବୃଦ୍ଧି ଏହାକୁ ବିଶ୍ୱ ଦରବାରରେ ଆହୁରି ଅଧିକ ଶକ୍ତିଶାଳୀ କରିବ ବୋଲି ଏହି ବିଶ୍ୱସ୍ତରୀୟ ଅର୍ଥଶାସ୍ତ୍ରୀ ଆଶାପ୍ରକାଶ କରିଛନ୍ତି।