ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଅଙ୍ଗନରେ ପୁଣି ଥରେ ହଟଚମଟ ସୃଷ୍ଟି ହୋଇଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଏବଂ ଜାତୀୟ ଚୟନ କମିଟି ମଧ୍ୟରେ ସବୁକିଛି ଠିକ୍ ଚାଲି ନଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବୋର୍ଡ ଏବଂ ଚୟନ ସମିତି ମଧ୍ୟରେ ଏକପ୍ରକାର 'ଶୀତଳ ଯୁଦ୍ଧ'ଜାରି ରହିଛି। ଏହାରି ମଧ୍ୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକରଙ୍କ ଭବିଷ୍ୟତକୁ ନେଇ ଆସନ୍ତା ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳ ଏହି ମାସରେ ସମାପ୍ତ ହେବାକୁ ଯାଉଛି। ପୂର୍ବରୁ ତାଙ୍କର କାର୍ଯ୍ୟକାଳ ୩ ମାସ ପାଇଁ ବୃଦ୍ଧି କରାଯାଇଥିଲା। କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋର୍ଡ ତାଙ୍କର କାର୍ଯ୍ୟକାଳ ବୃଦ୍ଧି ଏବଂ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଓ ଭବିଷ୍ୟତର ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ନେଇ ଏକ ବଡ଼ ପଦକ୍ଷେପ ନେଇପାରେ।
ଚର୍ଚ୍ଚା ହେଉଛି ଯେ, ଗତ କିଛି ମାସ ହେବ ବିସିସିଆଇର ବରିଷ୍ଠ ଅଧିକାରୀ ଏବଂ ଚୟନ କମିଟି ମଧ୍ୟରେ ମତଭେଦ ଦେଖାଦେଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଏବଂ ନିଜର କାର୍ଯ୍ୟକାଳ ବୃଦ୍ଧି ନେଇ ଅଗରକର ଆଗାମୀ ଦୁଇ ଦିନ ଭିତରେ ବୋର୍ଡର କିଛି ପ୍ରମୁଖ କର୍ମକର୍ତ୍ତାଙ୍କୁ ଭେଟିପାରନ୍ତି। ଏହି ବୈଠକରେ ଟିମର ଆଗାମୀ ରୋଡ୍ମ୍ୟାପ୍ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି।
ବୋର୍ଡର ଆଭିମୁଖ୍ୟ ଏବଂ ଅଗରକରଙ୍କ ପରବର୍ତ୍ତୀ ପଦକ୍ଷେପ ଭାରତୀୟ କ୍ରିକେଟର ଆଗାମୀ ଦିନର ରୂପରେଖ ସ୍ଥିର କରିବାରେ ବିଶେଷ ଭୂମିକା ଗ୍ରହଣ କରିବ। ତେଣୁ ଆଗାମୀ ୪୮ ଘଣ୍ଟା ଭିତରେ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ନଜର ଏହି ହାଇ-ପ୍ରୋଫାଇଲ୍ ବୈଠକ ଏବଂ ବିସିସିଆଇର ଆନୁଷ୍ଠାନିକ ନିଷ୍ପତ୍ତି ଉପରେ ରହିବ।