ବିଶ୍ୱର ସାମୁଦ୍ରିକ ବ୍ୟବସାୟ ପାଇଁ ଆଉ ଏକ ବଡ଼ ବିପଦ ସାମ୍ନାକୁ ଆସିଛି। ୟେମେନରେ ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରକୁ ଲାଗିରହିଥିବା ୟେମେନର ସମ୍ପୂର୍ଣ୍ଣ ଉପକୂଳକୁ ନିଜ ନିୟନ୍ତ୍ରଣକୁ ନେବାର ଦାବିକୁ ଆହୁରି ମଜବୁତ କରିଛନ୍ତି। ଶୁକ୍ରବାର ଦିନ ହୁତି ଲଢ଼ୁଆମାନେ ମୋଚା ପରେ ଧୁବାବ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ ଏବଂ ବାବ୍-ଅଲ୍-ମଣ୍ଡେବର ମଝିରେ ଅବସ୍ଥିତ ମାୟୁନ୍ ଅର୍ଥାତ୍ ପେରିମ୍ ଦ୍ୱୀପରେ ମଧ୍ୟ ପହଞ୍ଚି ଯାଇଛନ୍ତି। ଏଠାରୁ ବାବ୍-ଅଲ୍-ମଣ୍ଡେବର ସାମୁଦ୍ରିକ ମାର୍ଗ ଉପରେ କଡ଼ା ନଜର ରଖାଯାଇପାରିବ। ତେବେ ହୁତି ସରକାର ଆନୁଷ୍ଠାନିକ ଭାବେ ବାବ୍-ଅଲ୍-ମଣ୍ଡେବ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନେଇ କୌଣସି ଘୋଷଣା କରିନାହାନ୍ତି।
ବାବ୍-ଅଲ୍-ମଣ୍ଡେବ ହେଉଛି ଲୋହିତ ସାଗରର ଦକ୍ଷିଣ ପ୍ରବେଶ ଦ୍ୱାର। ଏହି ଜଳଡ଼ମରୁମଧ୍ୟ ଆଡେନ୍ ଗଲ୍ଫ (ଗଲ୍ଫ ଅଫ୍ ଆଡେନ୍) କୁ ଲୋହିତ ସାଗର ସହ ଯୋଡ଼ିଥାଏ ଏବଂ ଆଗକୁ ଏହି ରାସ୍ତା ୟୁରୋପ ପର୍ଯ୍ୟନ୍ତ ଯାଇଥାଏ। ଅର୍ଥାତ୍ ଏସିଆ, ୟୁରୋପ ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାମଗ୍ରୀ ଓ ଶକ୍ତି ଯୋଗାଣ (Energy Supply) ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଖାସ୍ କଥା ହେଉଛି, ବର୍ତ୍ତମାନର ଉତ୍ତେଜନା ମଧ୍ୟରେ ଏହି ରାସ୍ତା 'ଷ୍ଟ୍ରେଟ୍ ଅଫ୍ ହୋରମୁଜ୍'ର ବିକଳ୍ପ ଭାବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଯୁଦ୍ଧ ପୂର୍ବରୁ ହୋରମୁଜ୍ ଦେଇ ବିଶ୍ୱର ପ୍ରାୟ ଏକ-ପଞ୍ଚମାଂଶ ଶକ୍ତି ଯୋଗାଣ ହେଉଥିଲା।
ଯେକୌଣସି ସମୟରେ ବନ୍ଦ ହୋଇପାରେ କି ସାମୁଦ୍ରିକ ରାସ୍ତା?
ବାବ୍-ଅଲ୍-ମଣ୍ଡେବ ଉପରେ ମଜବୁତ ପକଡ଼ର ଅର୍ଥ ହେଉଛି ହୁତିମାନଙ୍କ ପାଖରେ ଲୋହିତ ସାଗର ଦେଇ ଗତି କରୁଥିବା ଜାହାଜଗୁଡ଼ିକ ଉପରେ ଚାପ ପକାଇବାର କ୍ଷମତା ବଢ଼ିଯାଇଛି। ଏହା ପୂର୍ବରୁ ମଧ୍ୟ ହୁତି ଆକ୍ରମଣ କାରଣରୁ ଲୋହିତ ସାଗରରେ ଜାହାଜଗୁଡ଼ିକର ଆବାଗମନ ବହୁମାତ୍ରାରେ ପ୍ରଭାବିତ ହୋଇଥିଲା। ଏବେ ସେମାନଙ୍କ ନିୟନ୍ତ୍ରଣରେ ସାମୁଦ୍ରିକ ମାର୍ଗର ଅତି ନିକଟତର ରଣନୈତିକ ଅଞ୍ଚଳଗୁଡ଼ିକ ରହିଛି। ତେବେ ହୁତି ନେତା ହାଜେମ୍ ଅଲ୍-ଅସଦ୍ କହିଛନ୍ତି ଯେ ଆନ୍ତର୍ଜାତିକ ଶିପିଂ ଏବଂ ବ୍ୟବସାୟ ପ୍ରତି ସେମାନଙ୍କ ପକ୍ଷରୁ କୌଣସି ବିପଦ ନାହିଁ ଏବଂ ବାବ୍-ଅଲ୍-ମଣ୍ଡେବରେ ଜାହାଜ ଚଳାଚଳ ସୁରକ୍ଷିତ ରହିଛି।
ହୁତିଙ୍କ ଉପସ୍ଥିତି ନିଶ୍ଚିତ ହେଲା
ହୁତିମାନଙ୍କର ସାମ୍ପ୍ରତିକ ଅଗ୍ରଗତି ଏହି ସମ୍ପୂର୍ଣ୍ଣ ସାମୁଦ୍ରିକ ଅଞ୍ଚଳର ଚିନ୍ତା ବଢ଼ାଇଦେଇଛି। ଗୁରୁବାର ସକାଳେ ହୁତି ଲଢ଼ୁଆମାନେ ମୋଚାରେ ପହଞ୍ଚିଥିଲେ ଏବଂ ଏହାପରେ ଆଖପାଖର ଦ୍ୱୀପଗୁଡ଼ିକ ଆଡ଼କୁ ବଢ଼ିଥିଲେ। ୟେମେନ୍ ସରକାରଙ୍କ ସୂତ୍ର ଅନୁଯାୟୀ, ସେମାନେ ବାବ୍-ଅଲ୍-ମଣ୍ଡେବ ଉପକୂଳରେ ଥିବା ଧୁବାବ୍ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇଛନ୍ତି। ଏହାପରେ ପେରିମ୍ ଦ୍ୱୀପରେ ହୁତି ଲଢ଼ୁଆଙ୍କ ଉପସ୍ଥିତି ନିଶ୍ଚିତ ହୋଇଥିଲା। ଏକ ସୂତ୍ର AFP କୁ ଜଣାଇଛି ଯେ ହୁତିମାନେ ବାବ୍-ଅଲ୍-ମଣ୍ଡେବ ଅଞ୍ଚଳ ଉପରେ ସେମାନଙ୍କ କବ୍ଜା ସମ୍ପୂର୍ଣ୍ଣ କରିସାରିଛନ୍ତି।
କଚା ତେଲ ଦର ଉପରେ ପଡ଼ିବ ପ୍ରଭାବ
ଏହାର ପ୍ରଭାବ ଅଶୌଧିତ ତୈଳ (Crude Oil) ଦର ଉପରେ ମଧ୍ୟ ଦେଖିବାକୁ ମିଳିଲାଣି। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରି ବନ୍ଦ ହେବା ଆଡ଼କୁ ଗତି କରୁଥିଲା। ଯଦି ବାବ୍-ଅଲ୍-ମଣ୍ଡେବରେ ଉତ୍ତେଜନା ବୃଦ୍ଧି ପାଏ ଏବଂ ଜାହାଜ ଚଳାଚଳ ପ୍ରଭାବିତ ହୁଏ, ତେବେ ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ଯୋଗାଣ ମହଙ୍ଗା ହୋଇପାରେ। ଏହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ବୈଶ୍ୱିକ ବାଣିଜ୍ୟ ଏବଂ ମୁଦ୍ରାସ୍ଫୀତି ଉପରେ ମଧ୍ୟ ପଡ଼ିପାରେ। ଏସବୁ ମଧ୍ୟରେ ୟେମେନ୍ ସରକାରଙ୍କ ପକ୍ଷରୁ ହୁତିଙ୍କ ବିରୋଧରେ କୌଣସି ବଡ଼ ଧରଣର ପଲଟା କାର୍ଯ୍ୟାନୁଷ୍ଠାନର ସଙ୍କେତ ବହୁତ କମ୍ ଦେଖିବାକୁ ମିଳୁଛି।