ଗାନ୍ଧୀନଗର: ଗୁଜୁରାଟ ଉପକୂଳର ସମୁଦ୍ର ମଧ୍ୟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ସମୁଦ୍ରରେ ଯାତାୟାତ କରୁଥିବା ଦୁଇଟି ବାଣିଜ୍ୟିକ ଜାହାଜ ପରସ୍ପରକୁ ଜୋରଦାର ଧକ୍କା ଦେଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ପରେ ସମୁଦ୍ର ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଖବର ପାଇ ତୁରନ୍ତ ତତ୍ପରତା ପ୍ରକାଶ କରିଛି ଭାରତୀୟ କୋଷ୍ଟଗାର୍ଡ଼।
୨୧ ଲୋକଙ୍କୁ କରାଯାଇଛି ସୁରକ୍ଷିତ ଉଦ୍ଧାର
ଏହି ଜାହାଜ ଦୁର୍ଘଟଣାରେ ଭାରତୀୟ କୋଷ୍ଟଗାର୍ଡ଼ ତତ୍ପରତା ପ୍ରକାଶ କରି 'ଏମ୍ଭି କେମାକ୍ସ ଏମ୍ପେରର୍'ଜାହାଜରୁ ମୋଟ ୨୧ ଜଣ କ୍ରୁ’ ମେମ୍ବର (ନାବିକ)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ଗୁଜୁରାଟ ଉପକୂଳ ନିକଟବର୍ତ୍ତୀ ଜଳସୀମାରେ ଦୁଇଟି ଜାହାଜ ଭିତରେ କୌଣସି କାରଣବଶତଃ ଭୀଷଣ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ଜାହାଜଗୁଡ଼ିକର କିଛି ଅଂଶ କ୍ଷତିଗ୍ରସ୍ତ ହେବା ସହ ସେଥିରେ ଥିବା କର୍ମଚାରୀ ଓ ନାବିକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ଆର୍ପିଏମ୍ ମୋଡ଼କୁ ଆସିଯାଇଥିଲେ।
କୋଷ୍ଟଗାର୍ଡ଼ର ଉଦ୍ଧାର ଅଭିଯାନ ଜାରି
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାରତୀୟ କୋଷ୍ଟଗାର୍ଡ଼ ପକ୍ଷରୁ ତୁରନ୍ତ ଏକ ବୃହତ ଉଦ୍ଧାର ଓ ରିଲିଫ୍ ଅଭିଯାନ ଆରମ୍ଭ କରାଯାଇଛି। ୨୧ ଜଣ କ୍ରୁ’ ମେମ୍ବର (ନାବିକ)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। କୋଷ୍ଟଗାର୍ଡ଼ର ଜାହାଜ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମୁଦ୍ର ମଧ୍ୟରେ ଫସି ରହିଥିବା ନାବିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଇପାରି ନାହିଁ। ତେବେ ସମୁଦ୍ର ମଧ୍ୟରେ ଯାତାୟାତ ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷାକୁ ନେଇ ପୁଣିଥରେ ବଡ଼ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋଷ୍ଟଗାର୍ଡ଼ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।