ନୂଆଦିଲ୍ଲୀ: ମାତୃତ୍ୱ ଏବଂ ଜଣେ ମହିଳା ଆଥଲେଟ୍ଙ୍କ କ୍ରୀଡ଼ା କ୍ୟାରିୟରକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ମତ ରଖିଛନ୍ତି। ଭାରତୀୟ କୁସ୍ତି ଜଗତର ଚର୍ଚ୍ଚିତ ଚେହେରା ତଥା ଷ୍ଟାର୍ ପହଲୱାନ ଭିନେଶ ଫୋଗାଟ୍ଙ୍କ ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ, ମାତୃତ୍ୱ ଅବଧି ଯୋଗୁଁ ଜଣେ ମହିଳା ଖେଳାଳିଙ୍କୁ କ୍ୟାରିୟରରେ ଯେପରି କୌଣସି ଅନ୍ୟାୟର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ନିୟମ ଓ ଗାଇଡଲାଇନ୍ ପ୍ରସ୍ତୁତ କରିବା ଆବଶ୍ୟକ।
କ’ଣ କହିଛନ୍ତି ଅଦାଲତ ?
ଶୁଣାଣି ସମୟରେ ଅଦାଲତ ଖେଳାଳିଙ୍କ ପରିସ୍ଥିତି ଏବଂ କ୍ରୀଡ଼ା ନୀତିକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଅଦାଲତ କହିଛନ୍ତି, "ସମସ୍ୟା ଏଇଠି ହିଁ ଉପୁଜୁଛି। ଜଣେ ମହିଳା ବିବାହ କରିବେ, ସନ୍ତାନ ଜନ୍ମ ଦେବେ ଏବଂ ଠିକ୍ ସେହି ସମୟରେ ପୁରୁଷ ଖେଳାଳିମାନେ ମଇଦାନକୁ ଯାଇ ପଦକ ଜିତିବେ, ଆଗକୁ ବଢ଼ିବେ। କିନ୍ତୁ ମହିଳା ଜଣଙ୍କୁ ଘରେ ବସି ପିଲାମାନଙ୍କ ଯତ୍ନ ନେବାକୁ ପଡ଼ିବ। ଏହି ସ୍ଥିତିରେ କିଛି ନା କିଛି ପଦକ୍ଷେପ ନିଆଯିବା ଜରୁରୀ, ନଚେତ୍ ଏହା ମହିଳା ଆଥଲେଟ୍ମାନଙ୍କ ପ୍ରତି ବଡ଼ ଧରଣର ଅନ୍ୟାୟ ହେବ।"
ଜଷ୍ଟିସ ସ୍ୱର୍ଣକାନ୍ତା ଶର୍ମା ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, କେବଳ ଜଣେ ବ୍ୟକ୍ତିବିଶେଷଙ୍କ ପାଇଁ ନିୟମରେ ହଚ୍ଚକଛ୍ଚ କିମ୍ବା ସ୍ୱତନ୍ତ୍ର କୋହଳ କରାଯାଇପାରିବ ନାହିଁ, ଯାହା ଅନ୍ୟ ଖେଳାଳିଙ୍କ ପାଇଁ ଅନ୍ୟାୟପୂର୍ଣ୍ଣ ହେବ। ତେବେ ମାତୃତ୍ୱ ଛୁଟିରୁ ଫେରୁଥିବା ମହିଳା ଖେଳାଳିମାନଙ୍କ ପାଇଁ କୁସ୍ତି ସଂଘ (WFI) ଏକ ସନ୍ତୁଳିତ ନୀତି ପ୍ରଣୟନ କରୁ ବୋଲି କୋର୍ଟ ପରାମର୍ଶ ଦେଇଛନ୍ତି।
ଟ୍ରାଏଲ୍ସରେ ମିଳିଲାନି ଆଶ୍ୱସ୍ତି
ଚଳିତ ବର୍ଷ ସିନିୟର ବିଶ୍ୱ କୁସ୍ତି ଚାମ୍ପିଅନସିପ୍ ପାଇଁ ୧୪ ସେପ୍ଟେମ୍ବରରେ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଚୟନ ଟ୍ରାଏଲ୍ସରେ ଭିନେଶ ଫୋଗାଟ୍ ଅନ୍ତର୍ଭୁକ୍ତ ହେବାକୁ ଚାହୁଁଥିଲେ। କିନ୍ତୁ ନିର୍ଦ୍ଧାରିତ ପାତ୍ରତା ମାନଦଣ୍ଡ ପୂରଣ କରି ନଥିବାରୁ ହାଇକୋର୍ଟ ତାଙ୍କୁ ତୁରନ୍ତ ଅନ୍ତର୍ଜାତୀୟ ଟ୍ରାଏଲ୍ସରେ ଭାଗ ନେବା ପାଇଁ ଅନ୍ତର୍ବର୍ତ୍ତୀକାଳୀନ ଅନୁମତି ଦେବାକୁ ମନା କରିଦେଇଛନ୍ତି।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, WFI ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଏବଂ ଅନୁଶାସନଗତ କାର୍ଯ୍ୟାନୁଷ୍ଠାନର ଗୁଣାଗୁଣ ଉପରେ ଏବେ ଚୂଡ଼ାନ୍ତ ମତାମତ ଦିଆଯାଉନାହିଁ, କିନ୍ତୁ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନିୟମକୁ ଏକପାଖିଆ ଭାବେ ବାତିଲ କରାଯାଇପାରିବ ନାହିଁ।
ସୂଚନାଯୋଗ୍ୟ, ଜୁଲାଇ 2025ରେ ମାଆ ହୋଇଥିବା ଭିନେଶ ଫୋଗାଟ୍ ମାତୃତ୍ୱ ଛୁଟି ପରେ ପୁଣିଥରେ ମଇଦାନକୁ ଫେରିବାକୁ ପ୍ରୟାସ କରୁଛନ୍ତି। କିନ୍ତୁ ସଂଘର ନୂତନ ଚୟନ ମାନଦଣ୍ଡ ତାଙ୍କ କ୍ୟାରିୟର ପାଇଁ ବାଧକ ସାଜିଥିବାନେଇ ସେ ଆଇନଗତ ଲଢ଼େଇ ଜାରି ରଖିଛନ୍ତି।