ବ୍ରିକ୍ସରେ ଡଲାର ଉପରେ ନିର୍ଭରଶୀଳତା କମାଇବା ପାଇଁ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମକୁ ଯୋଡ଼ିବା ନେଇ ମନ୍ଥନ ଚାଲିଛି। UPI, CBDC ଏବଂ ନେଟ୍-ସେଟଲମେଣ୍ଟ ଭଳି ବିକଳ୍ପଗୁଡ଼ିକ ଉପରେ ଆଲୋଚନା କରାଯାଉଛି।
ବ୍ରିକ୍ସ ସମ୍ମିଳନୀ ସମୟରେ ଡଲାରକୁ ନେଇ ଚର୍ଚ୍ଚା ସବୁଠି ଜୋର ଧରିଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ବ୍ରିକ୍ସର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ନିଜ ନିଜର ପେମେଣ୍ଟ ସିଷ୍ଟମକୁ ପରସ୍ପର ସହ ଯୋଡ଼ିବା ଏବଂ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଛନ୍ତି। ବ୍ରିକ୍ସର ସଦାସର୍ବଦା ଏହି ଏଜେଣ୍ଡା ରହିଆସିଛି ଯେ ନିଜ ନିଜ ମଧ୍ୟରେ ବ୍ୟାପାର ପାଇଁ ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମ୍ କରାଯାଉ।
ଏବେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ନିଜ ନିଜ ମୁଦ୍ରାରେ ପେମେଣ୍ଟକୁ ସହଜ କରିବା ନେଇ ବିଚାର କରାଯାଉଛି। ଏଥିପାଇଁ କ୍ରସ୍-ବୋର୍ଡର୍ ଡିଜିଟାଲ୍ ପେମେଣ୍ଟସ୍ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି କୁ ଆପସରେ ଯୋଡ଼ିବା ପାଇଁ ବିଭିନ୍ନ ବିକଳ୍ପ ଉପରେ କାମ ଚାଲିଛି।
ଫାଷ୍ଟ ପେମେଣ୍ଟ ସିଷ୍ଟମକୁ ଯୋଡ଼ିବା ପାଇଁ ବିଚାର
ଯେଉଁଭଳି ଭାବେ UPI ଦେଶରେ ଡିଜିଟାଲ୍ କାରବାରକୁ ସହଜ କରିଛି, ଠିକ୍ ସେହିପରି ବ୍ରିକ୍ସ ଦେଶଗୁଡ଼ିକର ଅଲଗା ଅଲଗା Fast Payment Systems କୁ ପରସ୍ପର ସହ ଯୋଡ଼ିବା ପାଇଁ ବିଚାର କରାଯାଉଛି, ଯାହାଦ୍ୱାରା ଆର୍ଥିକ କାରବାର ଅଧିକ ସହଜ ହୋଇଯିବ ଏବଂ ଡଲାରର ଆବଶ୍ୟକତା କମିଯିବ।
ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମଡେଲକୁ ଚୂଡ଼ାନ୍ତ ରୂପ ଦିଆଯାଇ ନାହିଁ। ବ୍ରିକ୍ସର ମୁଖ୍ୟ ଫୋକସ୍ କୌଣସି ନୂଆ ମୁଦ୍ରା/କରେନ୍ସି ତିଆରି କରିବା ଉପରେ ନୁହେଁ, ବରଂ ନିଜ ନିଜର ମୁଦ୍ରାରେ ଡିଜିଟାଲ୍ ପେମେଣ୍ଟ କରିବା ଉପରେ ରହିଛି।
ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ପେମେଣ୍ଟ ସିଷ୍ଟମକୁ ନେଇ ଆଉ ଏକ ବଡ଼ ଯୋଜନା ଉପରେ ବିଚାର ଚାଲିଛି, ଯାହାଦ୍ୱାରା ପ୍ରତ୍ୟେକ ଡିଲ୍ ପାଇଁ ଅଲଗା ଅଲଗା ପେମେଣ୍ଟ କରିବାର ଆବଶ୍ୟକତା ହ୍ରାସ ପାଇପାରେ।
ଅର୍ଥାତ୍, ଦୁଇଟି ଦେଶ ମଧ୍ୟରେ ହେଉଥିବା ପ୍ରତ୍ୟେକ କାରବାରର ପେମେଣ୍ଟ ଅଲଗା ଅଲଗା କରିବା ପରିବର୍ତ୍ତେ, ସମ୍ପୂର୍ଣ୍ଣ ବ୍ୟବସାୟର ହିସାବ ଏକାଠି କରାଯାଇପାରିବ।
ଡଲାର ଉପରେ ନିର୍ଭରଶୀଳତା କମାଇବା ପାଇଁ ଉଦ୍ୟମ
ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୁଇଟି ଦେଶର ଦ୍ୱିପାକ୍ଷିକ ବାଣିଜ୍ୟର ସମ୍ପୂର୍ଣ୍ଣ ହିସାବ ଯୋଡ଼ାଯିବ। ପରସ୍ପରଠାରୁ କେତେ ପରିମାଣର ସାମଗ୍ରୀ କିଣାଗଲା ଏବଂ କେତେ ବିକ୍ରି ହେଲା—କେବଳ ସେହି ପାର୍ଥକ୍ୟର ପରିମାଣ ହିଁ ପେମେଣ୍ଟ କରାଯିବ। ଏହାଦ୍ୱାରା ବୈଦେଶିକ ମୁଦ୍ରାରେ କାରବାର କମିବ ଏବଂ ଡଲାର ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ।
ଏଠାରେ ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ଫାଇନାଲ୍ ହୋଇନଥିଲେ ବି ଚଳିତ ବ୍ରିକ୍ସ ସମ୍ମିଳନୀରେ ଏହା ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଇରାନର ରାଷ୍ଟ୍ରପତି ପେଜେଶ୍କିୟାନ୍ ମଧ୍ୟ ଡଲାର ଉପରେ ନିର୍ଭରଶୀଳତା କମାଇବା ଏବଂ ବ୍ରିକ୍ସ ଦେଶଗୁଡ଼ିକ ନିଜ ନିଜ ମୁଦ୍ରାରେ ଦ୍ୱିପାକ୍ଷିକ ବ୍ୟବସାୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।