ଭୁବନେଶ୍ୱର: ରାଜଧାନୀର ଭୁବନେଶ୍ୱର ଆର୍ ଆଣ୍ଡ୍ ବି ଡିଭିଜନ୍-୧ ରେ ହୋଇଥିବା କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଏବଂ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗକୁ ରାଜ୍ୟ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ପୂର୍ତ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ। ଏହି ଟିମ୍ ଘଟଣାର ସମସ୍ତ ଦିଗକୁ ଅନୁଧ୍ୟାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ପ୍ରସ୍ତୁତ ହେବାକୁ ଥିବା ତଦନ୍ତ ରିପୋର୍ଟରେ କେବଳ ଅଭିଯୋଗର ସତ୍ୟତା ନୁହେଁ, ବରଂ ଏହି ଦୁର୍ନୀତି ପାଇଁ ଦୋଷୀ ଥିବା କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯିବ। ଏହାସହ ଭବିଷ୍ୟତରେ ଏଭଳି ବେଆଇନ୍ କାର୍ଯ୍ୟର ପୁନରାବୃତ୍ତି ଯେପରି ନହୁଏ, ସେନେଇ କଠୋର ପଦକ୍ଷେପ ନେବାକୁ ସୁପାରିଶ ଦେବାକୁ ମଧ୍ୟ କୁହାଯାଇଛି।
ଅଡିଟ୍ ହୋଇନଥିବା ହିସାବ ଉପରେ କଡ଼ା ନଜର
କେବଳ ଗୋଟିଏ ଡିଭିଜନ୍ ନୁହେଁ, ବରଂ ନିର୍ମାଣ ବିଭାଗର ଅନ୍ୟାନ୍ୟ ସମସ୍ତ ଡିଭିଜନ୍ର କାର୍ଯ୍ୟକଳାପ ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ବିଭାଗର ସମସ୍ତ ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀମାନେ ପର୍ଯ୍ୟାୟକ୍ରମେ ଅଡିଟ୍ ହୋଇନଥିବା ସମସ୍ତ ଆର୍ଥିକ ହିସାବ ଯାଞ୍ଚ କରିବେ ଏବଂ ସମ୍ପୃକ୍ତ ସିସିଇଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପୂର୍ଣ୍ଣ ମାମଲାକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରାଯାଇଛି।
ଶୂନ୍ୟ ସହନଶୀଳତା ନୀତି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ
ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ସର୍ବଦା 'ଶୂନ୍ୟ ସହନଶୀଳତା' ନୀତି ଅବଲମ୍ବନ କରିଆସୁଛନ୍ତି। ଠିକ୍ ସେହି ଅନୁସାରେ, ଅଭିଯୋଗ ଆସିବାକ୍ଷଣି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତତ୍କାଳ ପଦକ୍ଷେପ ନେଇଥିଲେ। ଫଳସ୍ୱରୂପ, ଶୁକ୍ରବାର ଅପରାହ୍ନରେ ନିର୍ମାଣ ବିଭାଗ ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଭୁବନେଶ୍ୱର ଆର୍ ଆଣ୍ଡ୍ ବି ଡିଭିଜନ୍-୧ରେ କାର୍ଯ୍ୟରତ ଥିବା ଅଧିକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ସେହି ସ୍ଥାନରୁ ଅପସାରଣ କରାଯାଇଛି। ଏହା ସହିତ ସେହି ସ୍ଥାନରେ ଅନ୍ୟ ଜଣେ ଦକ୍ଷ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
Also Read: ଜମି ମାମଲାରେ ବଡ଼ ପରିବର୍ତ୍ତନ; ଲଞ୍ଚ ହେଲା ବୋର୍ଡ ଅଫ୍ ରେଭେନ୍ୟୁର ନୂଆ ୱେବସାଇଟ୍, ଆସିଲା ତ୍ରୈମାସିକ ଜର୍ଣ୍ଣାଲ୍