ରାଉରକେଲାରେ ଚାଞ୍ଚଲ୍ୟ। ବ୍ରାହ୍ମଣୀ ପୋଲ ଉପରେ କାର୍ ରଖି ନଦୀକୁ ଡେଇଁ ପଡ଼ିଥିବା ଜଣେ ଯୁବକଙ୍କୁ ନେଇ ଚିନ୍ତା ବଢ଼ିଛି। ଶୁକ୍ରବାର ବ୍ରାହ୍ମଣୀ ତରଙ୍ଗ ଥାନା ଅଧୀନ ବ୍ରାହ୍ମଣୀ ନଦୀ ଉପରେ ଥିବା ପୋଲରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।
ଯୁବକ ଜଣକ ସିଭିଲ୍ ଟାଉନସିପ୍ ଅଞ୍ଚଳର ଶିବରାମ ସାହୁ ବୋଲି ପରିଚୟ ମିଳିଛି। ସୂଚନା ଅନୁସାରେ, ଶିବରାମ ନିଜ କାର୍ ନେଇ ବ୍ରାହ୍ମଣୀ ପୋଲ ଉପରେ ପହଞ୍ଚିଥିଲେ। ପରେ କାର୍ଟିକୁ ପୋଲ ଉପରେ ଛାଡ଼ି ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି।
ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ଏନେଇ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଥିବାବେଳେ ଏଯାଏଁ ଯୁବକଙ୍କ ସନ୍ଧାନ ମିଳିନଥିବା ସୂଚନା ରହିଛି।
ତେବେ ଶିବରାମ କାହିଁକି ଏଭଳି ପଦକ୍ଷେପ ନେଲେ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଘଟଣା ପଛରେ କୌଣସି ବ୍ୟକ୍ତିଗତ କାରଣ ରହିଛି କି ନାହିଁ, ସେନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏପଟେ ପୋଲ ଉପରେ ଯୁବକଙ୍କ କାର୍ ଥିବାରୁ ଘଟଣାସ୍ଥଳରେ ମଧ୍ୟ ଚର୍ଚ୍ଚା ବଢ଼ିଛି। ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଛି।