ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (VSSUT)ରେ ଶିକ୍ଷକ ନିଯୁକ୍ତି ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବିଶ୍ୱବିଦ୍ୟାଳୟରେ ୨୪ଟି ନୂଆ ଶିକ୍ଷକ ପଦବୀ ସୃଷ୍ଟି ଓ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏନେଇ କୁଳସଚିବଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି।
ଏହି ପଦବୀଗୁଡ଼ିକ ବିଶେଷ କରି ସେଫ୍ଟି ଆଣ୍ଡ ଫାୟାର ଇଞ୍ଜିନିୟରିଂ ଓ ବାୟୋମେଡିକାଲ ଇଞ୍ଜିନିୟରିଂ ବି.ଟେକ୍ ପାଠ୍ୟକ୍ରମ ପାଇଁ ସୃଷ୍ଟି କରାଯିବ। ଉଭୟ ବିଭାଗରେ ଛାତ୍ରଛାତ୍ରୀଙ୍କ ବୃଦ୍ଧିଶୀଳ ଚାହିଦାକୁ ଦୃଷ୍ଟିରେ ରଖି ଶିକ୍ଷକ ସଂଖ୍ୟା ବଢ଼ାଇବାକୁ ସରକାର ପଦକ୍ଷେପ ନେଇଛନ୍ତି।
ପ୍ରସ୍ତାବ ଅନୁଯାୟୀ, ୨ ଜଣ ପ୍ରଫେସର, ୬ ଜଣ ଆସୋସିଏଟ୍ ପ୍ରଫେସର ଏବଂ ୧୬ ଜଣ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ସୃଷ୍ଟି କରାଯିବ। ମୋଟ ୨୪ଟି ନୂଆ ପଦବୀ ମାଧ୍ୟମରେ ଦୁଇଟି ଆଧୁନିକ ଇଞ୍ଜିନିୟରିଂ ବିଭାଗର ଏକାଡେମିକ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଭୟ ପାଠ୍ୟକ୍ରମରେ ଛାତ୍ର ସଂଖ୍ୟାକୁ ୩୦ରୁ ୬୦କୁ ବୃଦ୍ଧି କରିବା ପ୍ରସ୍ତାବ ଦିଆଯାଇଛି। ସେହି ଅନୁପାତରେ ଅଧିକ ଶିକ୍ଷକ ଆବଶ୍ୟକ ବୋଲି ଦର୍ଶାଯାଇଛି। ତେବେ ରାଜ୍ୟ ସରକାର କୁଳସଚିବଙ୍କୁ ପ୍ରସ୍ତାବିତ ପଦବୀର ଆବଶ୍ୟକତା ସପକ୍ଷରେ ଯଥାର୍ଥ କାରଣ ଓ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ଛାତ୍ର ସଂଖ୍ୟା ଦୁଇଗୁଣ କରିବା ପଛରେ କ’ଣ ଆଧାର ରହିଛି, ତାହା ମଧ୍ୟ ସ୍ପଷ୍ଟ କରିବାକୁ କୁହାଯାଇଛି। ଆବଶ୍ୟକ ତଥ୍ୟ ଓ ଯୁକ୍ତି ମିଳିବା ପରେ ସରକାର ପକ୍ଷରୁ ପଦବୀ ସୃଷ୍ଟି ଓ ନିଯୁକ୍ତି ସମ୍ପର୍କିତ ପରବର୍ତ୍ତୀ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।