କେନ୍ଦ୍ରାପଡ଼ା: ତିନି ମାସର ଦରମା ଦାବିରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶନିବାର ସଫେଇ କାମ ବନ୍ଦ କରି ୫୦ରୁ ଅଧିକ କର୍ମଚାରୀ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି ।
ଅଭିଯୋଗ ଅନୁଯାୟୀ, ମେଡିକାଲକୁ ସଫା ସୁତୁରା ରଖିବାରେ ନିରନ୍ତର ସଫେଇ କର୍ମଚାରୀମାନେ ସେବା ଯୋଗାଇ ଦେଉଛନ୍ତି । ମାତ୍ର ଠିକା ସଂସ୍ଥା ୩ ମାସ ହେବ ସେମାଙ୍କୁ ତାଙ୍କର ପାରିଶ୍ରମିକ ଦେଉନାହିଁ । ଫଳରେ କର୍ମଚାରୀଙ୍କ ପରିବାର ଚଳେଇବା କଷ୍ଟକର ହୋଇ ପଡ଼ୁଛି । ବାରମ୍ବାର ଗୁହାରୀ କଲେ ମଧ୍ୟ କମ୍ପାନୀ କିଛି ଶୁଣୁ ନାହିଁ । ଶେଷରେ ବାଧ୍ୟ ହୋଇ ଆଜି କାମ ବନ୍ଦ କରିବା ସହିତ ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ତୁରନ୍ତ ସେମାନଙ୍କ ଦରମା ନମିଳିଲେ, ସେମାନେ ଆଗକୁ କାର୍ୟ୍ୟରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି।
ସେପଟେ ଆଜି ଅଳିଆ ଉଠି ନ ଥିବାରୁ ମେଡ଼ିକାଲ ପରିସରରେ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ହୋଇ ରହିଛି । ଯାହାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।